News7 Logo

ନେପାଳ Gen Z ବିକ୍ଷୋଭ ପ୍ରଦର୍ଶନ : ହିଂସାକାଣ୍ଡରେ ଏବେସୁଦ୍ଧା ୭୨ ମୃତ, ୨୧୧୩ ଲୋକ ଆହତ

NEWS7
-

କାଣ୍ଠମାଣ୍ଡୁ : ନେପାଳରେ ଦୁର୍ନୀତି ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ବିରୋଧରେ ନିକଟରେ Gen Z ବିକ୍ଷୋଭ ପ୍ରଦର୍ଶନରେ ଜଣେ ଭାରତୀୟ ନାଗରିକଙ୍କ ସହ ଅତି କମ୍‌ରେ ୭୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ନେପାଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି ଯେ, ଗତ ସପ୍ତାହରେ ହୋଇଥିବା ଦୁର୍ନୀତି ବିରୋଧୀ ପ୍ରଦର୍ଶନରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୨ ହୋଇ ଯାଇଛି। ପୁଲିସ ଓ ପ୍ରଶାସନର କର୍ମଚାରୀ ହିଂସାକାଣ୍ଡ ବେଳେ କ୍ଷତିଗ୍ରସ୍ତ ହୋଇଥିବା ସପିଂମଲ୍‌ ଓ ଅନ୍ୟ ବିଲ୍ଡିଂ ଗୁଡ଼ିକରୁ ମୃତଦେହ ବାହାର କରିବାର କାମ ଜାରି ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ପ୍ରକାଶ ବୁଦାଥୋକି କହିଛନ୍ତି ଯେ, ସପିଂ ମଲ , ଘର ଓ ଅନ୍ୟ ବିଲ୍ଡିଂ ଗୁଡ଼ିକରେ , ଯେଉଁଠି ନିଆଁ ଲଗାଯାଇ ଥିଲା କିମ୍ୱା ଆକ୍ରମଣ ହୋଇ ଥିଲା, ସେଠାରେ ଅନେକ ଲୋକଙ୍କ ମୃତଦେହ ଏବେ ଉଦ୍ଧାର କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ନେପାଳରେ ଦଶନ୍ଧିର ସବୁଠୁ ଭୀଷଣ ହିଂସାକାଣ୍ଡରେ ଅତି କମ୍‌ରେ ୨୧୧୩ ଜଣ ଲୋକ ଆହତ ହୋଇଛନ୍ତି। ଅନେକ ସରକାରୀ ବିଲ୍ଡିଂ , ଦେଶର ସୁପ୍ରିମକୋର୍ଟ ସଂସଦ ଭବନ , ପୁଲିସ ପୋଷ୍ଟ,ବ୍ୟାବସାୟିକ ପ୍ରତିଷ୍ଠାନା ସହ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ରାଜନେତାଙ୍କ ବ୍ୟକ୍ତିଗତ ଘର ପୋଡ଼ି ଦିଆଯାଇଛି।

କହି ରଖୁଛୁ କି , ସୋମବାର ( ୮ ସେପ୍ଟେମ୍ୱର )ରେ ବିରୋଧ ପ୍ରଦର୍ଶନ ବେଳେ କାଠମାଣ୍ଡୁରେ ପୁଲିସ ଗୁଳିରେ ଅତି କମ୍‌ରେ ୧୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ଅଧିକାଂଶ ଛାତ୍ରଛାତ୍ରୀ ଥିଲେ। ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଶହ ଶହ ବିରୋଧ ପ୍ରଦର୍ଶନକାରୀ ସୋମବାର ପ୍ରଦର୍ଶନ ବେଳେ ହୋଇଥିବା ମୃତ୍ୟୁ ବିରୋଧରେ ତାଙ୍କର ଇସ୍ତଫା ଦାବି କରି ତାଙ୍କ କାର୍ଯ୍ୟାଳୟରେ ପଶି ଯାଇ ଥିଲେ।

ଓଲିଙ୍କ ଇସ୍ତଫା ମଧ୍ୟରେ ମଧ୍ୟ ହିଂସାକାଣ୍ଡ ଜାରି ରହିଛି ଏବଂ ବିରୋଧ ପ୍ରଦର୍ଶନକାରୀମାନେ ସଂସଦ , ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀ ଆବାସ , ସରକାରୀ ଭବନ , ରାଜନୀତିକ ଦଳଙ୍କ କାର୍ଯ୍ୟାଳୟ ଓ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗେଇ ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ,ନେପାଳ ପୁଲିସ ବାହିନୀ ଧିରେ ଧିରେ କାଠମାଣ୍ଡୁ ଘାଟୀରେ ନିଜର ଅଭିଆନ ପୁଣି ଥରେ ଆରମ୍ଭ କରୁଛନ୍ତି , ଏବଂ ଯେଉଁ ଥାନା ଓ ପୋଷ୍ଟ ଗୁଡିକରେ ଭଙ୍ଗାରୁଜା ବା ଅଗ୍ନିକାଣ୍ଡ ହୋଇ ଥିଲା, ସେଠାରେ ଧିରେ ଧିରେ କାମ ଆରମ୍ଭ ହେଉଛି।

ଉଲ୍ଲେଖନୀୟ ଯେ, ଓଲିଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି, ଯାହାଙ୍କୁ ୫ ମାର୍ଚ୍ଚ ୨୦୨୬ରେ ହେବାକୁ ଥିବା ନୂଆ ସଂସଦୀୟ ନିର୍ବାଚନ କରାଇବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି।     
​​​​​​