କାଠମାଣ୍ଡୁ: ନେପାଳ ବନ୍ୟାକୁ ଯେତିକି ଦିନ ବିତୁଛି ସେତିକୁ କରୁଣ ଚିତ୍ର ସାମ୍ନାକୁ ଆସୁଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଘର ତଳୁ, ଗଛ ମୂଳରୁ, କାଦୁଅ ପଙ୍କର କୁଢ଼ ଭିତରୁ ଉଦ୍ଧାର ହେଉଛି ଗୋଟିଏ ପରେ ଗୋଟିଏ ମୃତଦେହ।

ବନ୍ୟା ଯୋଗୁ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧ୍ୱଂସ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ୧,୦୦୩ରେ ପହଞ୍ଚିଛି। ପ୍ରାୟ ୪,୦୦୦ ଲୋକ ଏବେବି ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୧୨ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି।

ନେପାଳ-ତିବ୍ବତ ସୀମା ନିକଟରେ ବରଫ ଓ ପଥର ଧସିବା ପରେ ଭୋଟେକୋଶୀ ନଦୀରେ ହଠାତ୍ ବିପୁଳ ଜଳ ପ୍ରବାହ ସୃଷ୍ଟି ହୋଇଥିଲା। ଏହାପରେ ନଦୀର ବନ୍ୟାଜଳ ଅନେକ ଜନବସତିକୁ ଭସାଇ ନେବା ସହ ରାସ୍ତା, ପୋଲ ଓ ଜଳବିଦ୍ୟୁତ ପ୍ରକଳ୍ପରେ ବ୍ୟାପକ କ୍ଷତି କରିଛି।

ଚିତୱନ ଜିଲ୍ଲାରେ ସର୍ବାଧିକ ୩୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୱଲପରାସୀ ଇଷ୍ଟରେ ୨୧୬ ଜଣ ପ୍ରାଣ ହରାଇଛନ୍ତି। ନିଖୋଜଙ୍କ ମଧ୍ୟରେ ୫୮୩ ଜଣ ବିଦେଶୀ ନାଗରିକ ରହିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ୨୧,୩୦୦ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଦୁର୍ଗମ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର ଏବଂ ଖାଦ୍ୟ ଓ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ହେଲିକପ୍ଟର ମଧ୍ୟ ନିୟମିତ ଉଡ଼ାଣ କରୁଛି।

ପୁଣି ବନ୍ୟା ଆଶଙ୍କା

ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନେକ ଅଞ୍ଚଳରେ ବର୍ଷା ଜାରି ରହିଛି। ନଦୀଜଳସ୍ତର ବଢ଼ୁଥିବାରୁ ପୂର୍ବ, କେନ୍ଦ୍ରୀୟ ଓ ପଶ୍ଚିମ ନେପାଳର ବିଭିନ୍ନ ଜିଲ୍ଲା ପାଇଁ ନୂଆ ବନ୍ୟା ସତର୍କତା ଜାରି ହୋଇଛି। ରାସୁୱା ଓ ନୁୱାକୋଟ୍ରେ ବିପଦ ଅଧିକ ଥିବାରୁ ପ୍ରଶାସନ ସତର୍କ ରହିଛି।

ଭୁଶୁଡ଼ିଲା ପୋଲ, ବନ୍ଦ ରାଜପଥ

ବନ୍ୟାରେ ଅତି କମ୍ରେ ୧୯ଟି ଜାନବାହନ ଯାଆସ କରୁଥିବା ପୋଲ ଭାସିଯାଇଛି। ରାସ୍ତା ନଷ୍ଟ ହେବାରୁ କାଠମାଣ୍ଡୁ ସହ ଅନେକ ଅଞ୍ଚଳର ଯୋଗାଯୋଗ ବ୍ୟାହତ ହୋଇଛି। କୃଷ୍ଣଭୀର ଅଞ୍ଚଳରେ ରାଜପଥର କିଛି ଅଂଶ ଧୋଇଯାଇଥିବାରୁ ପୃଥ୍ୱୀ ଓ ତ୍ରିଭୁବନ ରାଜପଥରେ ଏକମୁଖୀ ଯାତାୟାତ ବ୍ୟବସ୍ଥା କରାଯାଇଛି। ରାସୁୱାଗାଢ଼ି ସୀମା ଦେଇ ଚୀନ୍ ସହ ନେପାଳର ଗୁରୁତ୍ୱପୂର୍ଣ୍ଣ ସ୍ଥଳପଥ ବାଣିଜ୍ୟ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ଜଳବିଦ୍ୟୁତ ପ୍ରକଳ୍ପ ସମେତ ବହୁ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।

ଜଳବାୟୁ କ୍ଷତିପୂରଣ ଦାବି ଜୋରଦାର

ଏହି ବିପର୍ଯ୍ୟୟ ପରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ପ୍ରଭାବିତ ଦେଶଗୁଡ଼ିକୁ ଧନୀ ଓ ଅଧିକ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ କରୁଥିବା ଦେଶଗୁଡ଼ିକ କ୍ଷତିପୂରଣ ଦେବା ଦାବି ପୁଣି ଜୋର ଧରିଛି। ହିମନଦୀ ତରଳିବା, ଭୂସ୍ଖଳନ, ହିମସ୍ଖଳନ ଓ ଅତ୍ୟଧିକ ବର୍ଷା ଯୋଗୁଁ ନେପାଳ ଅଧିକ ବିପଦରେ ରହିଛି।

ଏପଟେ ସୋସିଆଲ ମିଡିଆରେ ନକଲି ଓ AI-ତିଆରି ଭିଡିଓ ଏବଂ ଫଟୋ ପ୍ରସାରିତ ହେବାକୁ ନେଇ ମଧ୍ୟ ସରକାର ସତର୍କ କରିଛନ୍ତି। ଲୋକଙ୍କୁ କେବଳ ଯାଞ୍ଚ ହୋଇଥିବା ସୂଚନା ଉପରେ ଭରସା କରିବାକୁ ଅପିଲ୍ କରାଯାଇଛି।