ଏନକାଣ୍ଟରରେ ଟଳିଲେ ୭ ହାଡର୍କୋର ମାଓବାଦୀ, ନାରାୟଣପୁର ମାଓ ସଂଗଠନ ଛିନ୍‌ଛତର

Published By : Prameya-News7 Bureau | May 01, 2024 IST

ମାଲକାନଗିରି ୦୧/୦୫: ଛତିଶଗଡ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ୭ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ । 

ସୂଚନା ଥାଉକି, ଅବୁଜମାଡ ଜଙ୍ଗଲ ଭିତରେ ଚାଲିଥିଲା ମାଓବାଦୀଙ୍କ କ୍ୟାମ୍ପ । ଅନେକ ଦିନ ଧରି ଲାଲ୍ ବାହିନୀ ଏଠାରେ ଏକ ବଡ କ୍ୟାମ୍ପ କରି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ଏସଟିଏଫ ବାହିନୀ ପକ୍ଷରୁ ସେଠାରେ ଆରମ୍ଭ ହୋଇଥିଲା ଅପରେସନ । 

ଏନକାଣ୍ଟର ପରେ ଘଟଣା ସ୍ଥଳ ଛାଡି ଅନେକ ମାଓବାଦୀ ପଳାୟନ କରିଥିବା ବେଳେ ଜବାନ ମାନେ କବଜା କରିଥିଲେ ମାଓ କେମ୍ପ । ଜଙ୍ଗଲ ଭିତରେ ସୋଲାର ପ୍ୟାନାଲ ଲଗାଇ ମାଓବାଦୀ ମାନେ କମ୍ପୁଟର ଲେପଟପ ପ୍ରିଣ୍ଟର ଆଦି ବ୍ୟବହାର କରୁଥିଲେ ଯାହା ରହିଛି ଏବେ ସୁରକ୍ଷା କର୍ମୀଙ୍କ ହାତରେ । 

ଘଞ୍ଚ ଜଙ୍ଗଲ ଭିତରେ କୁଡିଆ ତିଆରି କରି ତାହା ଭିତରେ ମଶାରି ଲଗାଇ ଶୋଇଥିଲେ ମାଓବାଦୀ । କୁଡିଆ ପାଖରେ ଚାଳ ଛପର କିଚେନ ମଧ ରହିଛି ମାଓବାଦୀଙ୍କ । ଦୁଇ ମହଲା କୁଡିଆ ଉପରେ ନକ୍ସଲ ପନ୍ଥିଙ୍କ ପ୍ରାୟ ମାସକର ରାସନ ସାମଗ୍ରୀ ମଧ୍ୟ ରହିଛି । 

ମାଓ କ୍ୟାମ୍ପ ଚାରି ପାଖରେ ନକ୍ସଲ ମାନେ ପୋଷାକ ସୁଖେଇ ଥିଲେ । ଏସବୁ ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ଲମ୍ବା ସମୟ ଧରି ମାଓବାଦୀ ମାନେ ଏଠାରେ ରହିଥିଲେ । ହେଲେ ଏନକାଣ୍ଟର ପରେ ଛିନ ଛତର ହୋଇଯାଇଛି ନାରାୟଣପୁର ମାଓ ସଂଗଠନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.