News7 Logo

ଝାଡ଼ଖଣ୍ଡରେ ୧୦ଲକ୍ଷର ଇନାମୀ ନକ୍ସଲ କମାଣ୍ଡର ନିହତ, ସେପଟେ ଛିତିଶଗଡରେ ଚିହ୍ନଟ ହେଲା ମୃତ ମହିଲା ନକ୍ସଲ

NEWS7
Anti Naxal Movement

ଚାଇଁବସା ୭।୯: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଚାଇବାସା ଅଞ୍ଚଳରେ ରବିବାର ସକାଳେ ନକ୍ସଲ ଓ ସୁରକ୍ଷା ବଳଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନକ୍ସଲ ସଙ୍ଗଠନର କୁଖ୍ୟାତ ଜୋନାଲ କମାଣ୍ଡର ଅମିତ ହଂସଦା ନିହତ ହୋଇଛି। ତା ଉପରେ ଝାଡ଼ଖଣ୍ଡ ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେପଟେ ନାରାୟଣପୁର-ଦାନ୍ତେୱାଡା ବର୍ଡରରେ ଗତ ଶୁକ୍ରବାର ହୋଇଥିବା ଏନକାଉଣ୍ଟରରେ ନିହତ ମହିଳା ନକ୍ସଲକୁ ଚିହ୍ନଟ କରାଯାଇଛି। ତା ନାଁ ସୋଢୀ ବିମଳା ଓ ତା ମୁଣ୍ଡରେ ୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

ଅଧିକାରୀଙ୍କ ସୂଚନା ଅନୁସାରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ପିପିସି ସାଧାରଣ ସମ୍ପାଦକ ସୋଢୀ ବିମଳା ପୂର୍ବରୁ ମଧ୍ୟ ପୋଲିସ ସହ ଅନେକ ଗୁଳି ବିନିମୟ ଘଟଣାରେ ସାମିଲ ଥିଲା, ହେଲେ ସେ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ପ୍ରତି ଥର ଫେରାର ହେବାରେ ସଫଳ ହେଉଥିଲା। ହେଲେ ଶୁକ୍ରବାର ଏନକାଉଣ୍ଟରରେ ଜବାନମାନେ ତାକୁ ଟାର୍ଗେଟରେ ରଖି ଏନକାଉଣ୍ଟର କରିଥିଲେ। ଫଳରେ ଖସିଯିବାକୁ ସୁଯୋଗ ମିଳିନଥିଲା।

ସେପଟେ ଅମିତ ହଂସଦା ଏନକାଉଣ୍ଟର ରବିବାର ସକାଳ ସାଢେ ୬ଟା ବେଳେ ଝାଡ଼ଖଣ୍ଡ-ଛତିଶଗଡ଼ ବର୍ଡର ଗୋଇଲକେରା ଥାନା ରେଲାପରାଲ ଜଙ୍ଗଲ ଓ ବୁରଜୁଭା ପାହାଡ଼ ନିକଟରେ ହୋଇଛି। ଆଜିର ଏହି ଅଭିଯାନକୁ ନକ୍ସଲଙ୍କ ବିରୋଧରେ ଏପର୍ଯ୍ୟନ୍ତ ଚଳାଯାଇଥିବା କାର୍ଯ୍ୟାନୁଷ୍ଠାନରେ ସବୁଠୁ ସଫଳ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି। ହଂସଦାର ମୃତ୍ୟୁ ମାଓବାଦୀଙ୍କ ମନବଳ ଭାଙ୍ଗିବାରେ ସହାୟକ ହେବ ବୋଲି ଆକଳନ କରାଯାଉଛି।

ଏନକାଉଣ୍ଟର ଶେଷ ହେବା ପରେ ସୁରକ୍ଷା ବଳ ଅଞ୍ଚଳର ତଲାସୀ ନେଇଛନ୍ତି। ଏଥିରେ ହଂସଦାର ଶବ ଜବତ ହୋଇଥିବା ବେଳେ ତା ନିକଟରୁ ଏକ ସେଲଫ ଲୋଡିଂ ରାଇଫଲ, କାଟ୍ରିଜ୍ ଓ ମାଓବାଦୀ କାଗଜପତ୍ର ଜବତ ହୋଇଛି। ଅମିତ ହଂସଦା ଓରଫ ଅପଟନ ସିପିଆଇ(ଏମ)ର ଜଣେ ଜୋନାଲ କମାଣ୍ଡର ଥିଲା। ସେ ଗତ ଏକ ଦଶନ୍ଧୀ ହେଲା ପଶ୍ଚିମ ସିଂହଭୂମ, ସରାଇକେଲା-ଖରସୁଆଁ ଓ ଖୁଣ୍ଟି ଜିଲ୍ଲାରେ ସକ୍ରିୟା ଥିଲା। ତାର ଗତିବିଦ୍ଧି ଅଞ୍ଚଳରେ ଦୀର୍ଘ ସମୟ ହେଲା ଆତଙ୍କର କାରଣ ପାଲଟିଥିଲା। ଝାଡଖଣ୍ଡ ସରକାର ତାର ଗିରଫ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।