ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗଦେଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | June 10, 2025 IST

ଭୁବନେଶ୍ବର ୧୦ଶଙ୍ଖ ଭବନରେ ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ କର୍ମୀ ଓ ନେତାଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ନବୀନ କହିଛନ୍ତି, ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ ପାଇଁ ଆମେ ଆଜି ବିରୋଧୀ ଦଳରେ ବସିଛୁ । ବିଜେଡି ଏକ ଦାୟିତ୍ବବାନ ବିରୋଧୀ ଦଳ ଭାବେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାର ଶାସନ ଦାୟିତ୍ୱ ନେବାର ବର୍ଷେ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ  ଲମ୍ବା ଭାଷଣ, ବଡ  ବଡ  ବିଜ୍ଞାପନରେ ବିକାଶ ଆସେନାହିଁ ।  

ଆମ ସରକାର ସମୟରେ ଓଡ଼ିଶାର ୯୦% ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଲୋକମାନେ ଔଷଧ ପାଉନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇପାରୁନାହାନ୍ତି । ହଜାର ହଜାର ଲୋକ, ମା’ ମାନେ, ବୁଢାବୁଢୀ, କ୍ୟାନ୍ସର ରୋଗୀ, ପିଲାମାନେ ହଇରାଣ ହେଉଛନ୍ତି । ସ୍ବାସ୍ଥ୍ୟାବସ୍ଥା ପୁରା ଭୁଶୁଡ଼ି ପଡ଼ିଛି । ୩୦ ଜିଲ୍ଲାରୁ ୧୯ ଜିଲ୍ଲାରେ ସିଡିଏମ୍‌ଓ ନାହାନ୍ତି । ମିଶନ ଶକ୍ତି ଦ୍ୱାରା ୭୦ ଲକ୍ଷ ମହିଳା ସଶକ୍ତ ହୋଇଥିଲେ । ଗୋଟିଏ ବର୍ଷରେ ମିଶନ ଶକ୍ତି ଦୁର୍ବଳ ହୋଇଛି । ବ୍ୟାଙ୍କରେ ମା’ ମାନେ ହଇରାଣ ହେଉଛନ୍ତି । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି  ହତାଶ । ମା’ ମାନଙ୍କ ଆତ୍ମବିଶ୍ବାସ  ଭାଙ୍ଗିଯାଇଛି । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣିଥିଲା । ତେଣୁ ମା’ ମାନଙ୍କ ସଶକ୍ତିକରଣରେ ବାଧା ସୃଷ୍ଟି କରିବା ସବୁଠାରୁ ବଡ ଭୁଲ୍‌ । ମା’ ମାନେ ଏହାକୁ କେବେ କ୍ଷମା ଦେବେନାହିଁ ।

ନିର୍ବାଚନ ସମୟରେ କୁହାଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ MSP ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ-ଭଉଣୀ ଅଛନ୍ତି । ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ କୃଷି ଋଣ ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେ ଜଳସେଚନ ହୋଇଥିଲା ।ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକ ଚେତିଲେଣି । ସରକାର ବୁଝନ୍ତୁ ।  

ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ କଲ୍ୟାଣ ଓ ଓଡ଼ିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି । ମୁଁ ଆଶା କରିବି ଏଠି ଥିବା ନେତା ମାନେ ଓ ଗାଁରେ ଥିବା କର୍ମୀ ମାନେ ଲୋକଙ୍କ ସେବା ଜାରି ରଖିବେ ।


You Can Read:

ବ୍ଲକ୍ ଓ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟରେ ରାଜନୈତିକ ହସ୍ତକ୍ଷେପକୁ ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.