LIVE TV

ଏପରି ଏକ ଦ୍ୱୀପ; ଓଲଟା ଝୁଲୁଛନ୍ତି କଣ୍ଢେଇ, ଏହା ପଛରେ କ’ଣ ରହିଛି କାହାଣୀ ?

NEWS7
dolls islands

ନୂଆଦିଲ୍ଲୀ ୦୮।୧୦: ବିଶ୍ୱରେ ଅନେକ ସ୍ଥାନ ରହିଛି, ଯାହା ନିଜର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା । କିଛି ସ୍ଥାନ ନିଜର ରହସ୍ୟ ଏବଂ ଭୟଙ୍କର କାହାଣୀ ପାଇଁ ଜଣା ଯାଇଥାଏ । କିନ୍ତୁ କେବେ ଡଲ୍‌ ଆଇଲ୍ୟାଣ୍ଡ ବା କଣ୍ଢେଇ ଦ୍ବୀପ ବିଷୟରେ ଶୁଣିଛନ୍ତି । ଆଜ୍ଞା ହଁ ଏହି ଆଇଲ୍ୟାଣ୍ଡ ମେକ୍ସିକୋ ସହରର ଜୋଚିମିଲକୋ ଅଞ୍ଚଳରେ ଅବସ୍ଥିତ । ଏହା ଡଲ୍ସ ଆଇଲ୍ୟାଣ୍ଡ ଭାବରେ ଜଣାଶୁଣା। ଏହାର ଭୟଙ୍କର ଏବଂ ରହସ୍ୟମୟ ପ୍ରତିଛବି ସାରା ବିଶ୍ୱର ପର୍ଯ୍ୟଟକଙ୍କୁ କରେ ଆକର୍ଷିତ ।

ପରିଦର୍ଶକମାନେ ଏପରି ଅନୁଭବ କରନ୍ତି ଯେପରି ସେମାନେ କୌଣସି ଭୟଙ୍କର ଫିଲ୍ମ ସେଟରେ ଅଛନ୍ତି। ତେବେ ଏହି ଆଇଲ୍ୟାଣ୍ଡକୁ କେଉଁଠୁ ଆସିଲା ଏତେ ଓଲଟା ଝୁଲୁଥିବା କଣ୍ଢେଇ ? ଏହା ପଛରେ କଣ ରହିଛି କାରଣ ? ଆସନ୍ତୁ ଜାଣିବା...ଆଇଲ୍ୟାଣ୍ଡର ଗଛ ଏବଂ ବୁଦାରେ ଝୁଲୁଛନ୍ତି ଶହ ଶହ କଣ୍ଢେଇ । କିନ୍ତୁ ଏଗୁଡ଼ିକ କୌଣସି ନୂଆ କିମ୍ବା ସୁନ୍ଦର ନୁହେଁ ବରଂ ପୁରୁଣା, ଭଙ୍ଗା ଏବଂ ଭୟଙ୍କର କଣ୍ଢେଇ । କିଛି କଣ୍ଢେଇ ହାତଗୋଡ ଭାଙ୍ଗି ଯାଇଛି ତ, ଆଉ କିଛିର ଆଖି ଫୁଟି ଯାଇଛି ଏବଂ ଅନେକ କଣ୍ଢେଇର ମୁଣ୍ଡ ନାହିଁ । ଏହି କଣ୍ଢେଇ ଗୁଡିକୁ ଦେଖିଲେ କାହାର ବି ଭୟରେ ଦେହ ଥରି ଉଠିବ ।  

ଏହି ସ୍ଥାନର କାହାଣୀ ୧୯୫୦ ଦଶକର । କୁହାଯାଏ କି ଡନ୍ ଜୁଲିଆନ୍ ସେଣ୍ଟାନା ବୈରେରା ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ଛାଡି ଏହି ଆଇଲ୍ୟାଣ୍ଡରେ ରହିବାକୁ ଆସିଥିଲେ । ତାଙ୍କର ଏଠାକୁ ଆସିବାର କାରଣ ସମସ୍ତେ ଅନେକ କାହାଣୀ କୁହାଯାଏ । କେତେକ ବିଶ୍ୱାସ କରନ୍ତି ଯେ ତାଙ୍କୁ ଏକ ଆତ୍ମା ​​ଏଠାକୁ ଟାଣି ଆଣିଥିଲା। ଆଉ ଆଇଲ୍ୟାଣ୍ଡରେ ପହଞ୍ଚିବା ପରେ ସେ କେନାଲରେ ବୁଡ଼ି ଯାଇଥିବା ଜଣେ ଯୁବତୀଙ୍କ ମୃତଦେହ ଦେଖିଥିଲେ । ଝିଅଟି ପାଖରେ ଏକ କଣ୍ଢେଇ ମଧ୍ୟ ଭାସି ଆସିଥିଲା।

ଜୁଲିଆନ୍ କଣ୍ଢେଇଟିକୁ ଉଠାଇ ସମ୍ମାନର ପ୍ରତୀକ ଭାବେ ଗଛରେ ଟାଙ୍ଗି ଦେଇଥିଲେ । ଧିରେ ଧୀରେ ଏହି ଗୋଟିଏ ପୁତୁଳି ଶହ ଶହ ହୋଇଯାଇଥିଲା। ଜୁଲିଆନ୍ ପାଖ ଅଞ୍ଚଳରୁ ଭଙ୍ଗା କଣ୍ଢେଇ ସଂଗ୍ରହ କରି ଗଛରେ ଟାଙ୍ଗି ଦେଉଥିଲେ । ସେ ରାତିରେ ପାଦ ଶବ୍ଦ, ଫୁସ୍‌ଫୁସ୍‌ କଥା ହେବା ଏବଂ କାନ୍ଦ ଶୁଣିବାକୁ ମିଳୁଥିବା ଦାବି କରିଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଏଗୁଡ଼ିକ ଝିଅଟିର ଆତ୍ମାର ପ୍ରଭାବ । ତାକୁ ଶାନ୍ତ କରିବା ଏବଂ ତା'ର ଆତ୍ମାକୁ ସାନ୍ତ୍ୱନା ଦେବା ପାଇଁ ଜୁଲିଆନ୍ କଣ୍ଢେଇଗୁଡ଼ିକୁ ଟାଙ୍ଗି ଚାଲିଥିଲେ।

ତେବେ ବୁଡ଼ି ମରି ଯାଇଥିବା ସେହି ଝିଅଟିର କୌଣସି ସରକାରୀ ରେକର୍ଡ କେବେ ମିଳିନାହିଁ । ଏହି କାରଣରୁ କେତେକ ବିଶ୍ୱାସ କରନ୍ତି ଯେ ଏହି କାହାଣୀ ଜୁଲିଆନ୍‌ଙ୍କ କଳ୍ପନା ହୋଇପାରେ । ଜୁଲିଆନ୍ ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ଏହି ଆଇଲ୍ୟାଣ୍ଡରେ ଏକା ରହୁଥିଲେ । ୨୦୦୧ରେ ସେ ସେହି କେନାଲରେ ବୁଡି ମୃତ୍ୟୁବରଣ କରିଥିଲେ । ଯେଉଁଠାରେ ଝିଅଟିର ମୃତଦେହ ମିଳିଥିଲା ​​ । ତାଙ୍କ ମୃତ୍ୟୁ ପରେ ଏହି ସ୍ଥାନଟି ଆହୁରି ରହସ୍ୟମୟ ହୋଇଗଲା ଏବଂ ଲୋକମାନେ ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଆସିବାକୁ ଲାଗିଲେ।