ମେରଠ: ମା’ ହେଲା ମୁସ୍କାନ ରସ୍ତୋଗୀ । ଶିଶୁ କନ୍ୟାକୁ ଜନ୍ମ ଦେଲା ସ୍ବାମୀକୁ ହତ୍ୟା କରି ଜେଲରେ ଥିବା ମୁସ୍କାନ । ସୋମବାର ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ମୁସ୍କାନକୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା । ଜେଲ୍ କର୍ତ୍ତୃପକ୍ଷ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି । ବଡ଼ କଥା ହେଉଛି ଆଜି ତା ସ୍ବାମୀ ସୌରଭଙ୍କ ଜନ୍ମ ଦିନ । ମୁସ୍କାନ ପ୍ରେମିକ ସାହିଲ ସହ ମିଶି ସୌରଭଙ୍କୁ ହତ୍ୟା କରିଥିଲା ।

ମୁସ୍କାନଙ୍କ ସ୍ବାଭାବିକ ପ୍ରସବ ହୋଇଥିବା ନେଇ ସୂଚନା ମିଳିଛି। ସେ ସନ୍ଧ୍ୟା ପ୍ରାୟ ୭ଟାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛି । ଚଳିତ ବର୍ଷ ଏପ୍ରିଲରେ ମୁସ୍କାନର ଅଲ୍ଟ୍ରାସାଉଣ୍ଡ କରାଯାଇଥିଲା। ତାଙ୍କ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରାଯିବା ପୂର୍ବରୁ ସେ ଗର୍ଭବତୀ ଥିଲେ । ୮ ଜଣିଆ ଡାକ୍ତରୀ ଟିମଙ୍କ ତତ୍ବାବଧାନରେ ଥିଲେ ମୁସ୍କାନ ।

ମୁସ୍କାନ ରସ୍ତୋଗୀ ତା’ ପ୍ରେମିକ ସାହିଲ ସହିତ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲା । ଏହା ପରେ ମୁସ୍କାନ ଏବଂ ସାହିଲ ହିମାଚଳ ପ୍ରଦେଶ ଚାଲି ଯାଇଥିଲେ। ସେହି ସମୟରେ ମୁସ୍କାନ ଏବଂ ସାହିଲଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ମୁସ୍କାନ ଏବଂ ସାହିଲର ହୋଲି ପାଳନର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁଇ ଜଣଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା । ସେମାନେ ସୌରଭଙ୍କୁ ହତ୍ୟା କରି ନୀଳ ଡ୍ରମରେ ପୂରାଇ ଦେଇଥିଲେ । ଏହି ହତ୍ୟା ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

ଜେଲରେ ମୁସ୍କାନକୁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଥିଲା। ଏହା ବ୍ୟତୀତ, ଜେଲ ପ୍ରଶାସନ ମୁସ୍କାନକୁ କୌଣସି କାମ କରିବାକୁ ବାଧ୍ୟ କରୁନଥିଲା । କିନ୍ତୁ ଏବେ ବଡ଼ ପ୍ରଶ୍ନ, ମୁସ୍କାନ ପାଖରୁ ଜନ୍ମ ନେଇଥିବା ଶିଶୁ କନ୍ୟାର ଜୀବନ କେିମିତି କଟିବ । ସୌରଭଙ୍କ ପରିବାର ଲୋକେ ପିଲାକୁ ପୋଷ୍ୟ ଭାବରେ ଗ୍ରହଣ କରିବେ ବୋଲି ଆଗରୁ କହିଥିଲେ । ହେଲେ ସେମାନଙ୍କର ଗୋଟିଏ ସର୍ତ୍ତ ଥିଲା । ଯଦି ଜନ୍ମ ନେଇଥିବା ଶିଶୁ ତାଙ୍କ ପୁଅ ସୌରଭଙ୍କର ତେବେ ସେମାନେ ତାକୁ ପୋଷ୍ୟ ଭାବରେ ଗ୍ରହଣ କରିବେ । ସେପଟେ ମୁସ୍କାନ ପାଖରୁ ଜନ୍ମ ନେଇଥିବା ଶିଶୁ କନ୍ୟାର ଡିଏନଏ ଟେଷ୍ଟ କରାଯାଇପାରେ ବୋଲି କୁହାଯାଉଛି ।