ହୃଦଘାତରେ ମାଫିଆ ଡନ୍ ମୁଖତାର ଅଂସାରୀର ମୃତ୍ୟୁ; ମଉ, ବାନ୍ଦା ଏବଂ ଗାଜିପୁରରେ ଧାରା ୧୪୪ ଲାଗୁ

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ବାନ୍ଦା ଜେଲରେ ବନ୍ଦୀ ଭାବେ ଥିବା ମାଫିଆ ମୁଖତାର ଅଂସାରୀଙ୍କ ଗୁରୁବାର ସଂଧ୍ୟାରେ ହାର୍ଟ ଆଟକରେ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ମୁଖତାର ଅଂସାରୀର ମୃତ୍ୟୁ ହୋଇଛି । ମେଡିକାଲ ବୁଲେଟିନରେ ମୃତ୍ୟୁ ଖବରକୁ ସ୍ପଷ୍ଟ କରାଯାଇଛି । ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ମୁଖତାର ଅଂସାରୀ ଅସୁସ୍ଥ ହୋଇଥିଲା । ଏହା ପୂର୍ବରୁ ବି ଅସୁସ୍ଥତା କାରଣରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ପୁଣି ଜେଲ ପଠାଯାଇଥିଲା ।

ମୁଖତାର ଅଂସାରୀର ମୃତ୍ୟୁ ପରେ ଜେଲ ପ୍ରଶାସନ ଆଲର୍ଟକୁ ଆସି ଯାଇଛି । ମେଡିକାଲ କେଲଜକୁ ପୋଲିସ ଛାଉଣୀରେ ବଦଳା ଯାଇଛି । ପୋଲିସ ଏବଂ ପ୍ରଶାସନର ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖବର ଅନୁସାରେ ବାରାକରେ ମୁଖତାର ଅଂସାରୀ ହଠାତ୍ ବେହୋସ ହୋଇ ତଳେ ପଡ଼ି ଯାଇଥିଲା । ଏହାପରେ ତୁରନ୍ତ ତାକୁ ରାଣୀ ଦୁର୍ଗାବତୀ ମେଡିକାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ୯ ଜଣିଆ ଡାକ୍ତରୀ ଟିମ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଡାକ୍ତରଙ୍କ ସବୁ ପ୍ରୟାସ ସତ୍ତ୍ୱେ କାର୍ଡିୟକ ଆରେଷ୍ଟରେ ମୁଖତାରର ମୃତ୍ୟୁ ହୋଇଛି । 

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମୁଖତାରର ସୋମବାର ରାତିରେ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ଜିଲ୍ଲା ହସ୍ପିଟାଲର ତିନି ଡାକ୍ତରଙ୍କୁ ଜେଲ ଡକାଯାଇଥିଲା । ପେଟ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଆସୁବିଧା ଥିବା ଜଣାପଡ଼ିଥିଲା । ଏହାପରେ ଭୋର ଚାରିଟାରେ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ୧୪ ଘଣ୍ଟା ଆଇସିୟୁରେ ରଖାଯିବା ପରେ ମଙ୍ଗଳବାର ସଂଧ୍ୟା ଛଅଟାରେ ଡିସଚାର୍ଜ କରାଯାଇଥିଲା । ଏବଂ ପୁଣି ଥରେ ଜେଲ ଶିଫ୍ଟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.