ନୂଆଦିଲ୍ଲୀ ୩୧।୭: ଦେଶରେ ମୌସୁମୀର ଦ୍ୱିତୀୟାର୍ଦ୍ଧ ଅଗଷ୍ଟ ଓ ସେପ୍ଟେମ୍ବରରେ ସ୍ୱଭାବିକରୁ ଅଧିକ ବର୍ଷା ଆଶଙ୍କା କରାଯାଉଛି। ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ଦୁଇ ସପ୍ତାହ ହାଲୁକା ବର୍ଷା ହେବ, ହେଲେ ସେପ୍ଟେମ୍ବରରେ ବର୍ଷା ସ୍ୱଭାବିକରୁ ଅଧିକ ହୋଇପାରେ। ତେବେ ପୂର୍ବୋତ୍ତର ଓ ପୂର୍ବ ଭାରତକୁ ଛାଡିଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ଅଗଷ୍ଟରେ ସ୍ୱଭାବିକ ବର୍ଷା ଆଶା କରାଯାଉଛି।
ଜୁନ ଓ ଜୁଲାଇରେ ହୋଇଛି ସ୍ୱଭାବିକରୁ ଅଧିକ ବର୍ଷା
ଗୁରୁବାର ଏକ ଅନଲାଇନ ପ୍ରେସ୍ କନଫରେନ୍ସକୁ ସମ୍ବୋଧିତ କରି ଡ. ମହାପାତ୍ର କହିଛନ୍ତି ଯେ ଦେଶରେ ମୌସୁମୀ ଋତୁର ପ୍ରଥମ ଭାଗ ଜୁନ ଓ ଜୁଲାଇ ମାସରେ ସ୍ୱଭାବିକରୁ ଅଧିକ ବର୍ଷା ହୋଇଛି। ଏହି ସମୟରେ କିଛି ରାଜ୍ୟ ବିଶେଷ କରି ହିମାଚଳ ପ୍ରଦେଶରେ ଅଚାନକ ବନ୍ୟା ଆସିଯାଇଥିଲା। ସେ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ଦ୍ୱୀତିୟାର୍ଦ୍ଧରେ ସାରା ଦେଶରେ ସ୍ୱଭାବିକରୁ ଅଧିକ ବର୍ଷା (୪୨୨.୮ ମିମିରେ ଦୀର୍ଘ କାଳୀନ ହାରାହାରିର ୧୦୬%) ହେବାର ସମ୍ଭାବନା ରହିଛି।
ତେବେ ଜୁନ ମାସରେ ଦେଶକୁ ମୌସୁମୀ ଆଗମନ କାଳରେ ବେଶ ବର୍ଷା ହୋଇଥିଲା। ୧ ଜୁନରୁ ୩୧ ଜୁଲାଇ ମଧ୍ୟରେ ସ୍ୱଭାବିକ ୪୪୫.୮ ମିଲିମିଟର ବର୍ଷା ତୁଳନାରେ ୪୭୪.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ସ୍ୱଭାବିକ ବର୍ଷା ଠାରୁ ହାରାହାରି ୬% ଅଧିକ ବୋଲି ଡ. ମହାପାତ୍ର କହିଛନ୍ତି। ଏଥିରେ ଅଗଷ୍ଟମାସରେ ବର୍ଷା ସ୍ୱଭାବିକ ହେବାକୁ ଥିବା ବେଳେ ଜୁନ-ସେପ୍ଟେମ୍ବର ମୌସୁମୀ ଋତୁର ଶେଷ ମାସରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ରହିବ ବୋଲି ପୂର୍ବାନୁମାନ କରିଛନ୍ତି।