ନୂଆଦିଲ୍ଲୀ: ନେପାଳର ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ଏବେ ଗ୍ଲେସିୟର୍ ତରଳିବାକୁ ନେଇ ସାରା ବିଶ୍ୱରେ ଆଶଙ୍କା ପ୍ରକାଶ ପାଇଛି । ଜଳବାୟୁ ପରିବର୍ତ୍ତନ ଓ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ପଶ୍ଚିମ ୟୁରୋପର ସବୁଠାରୁ ଉଚ୍ଚ ଶୃଙ୍ଗ 'ମଣ୍ଟ ବ୍ଲାଙ୍କ' (ଧଳା ପାହାଡ଼) ଏବେ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ଏଲ୍-ନିନୋ ପ୍ରଭାବ ଯୋଗୁଁ ଏହି ପର୍ବତର 'ପର୍ମାଫ୍ରୋଷ୍ଟ' (ଦୀର୍ଘଦିନ ଧରି ଜମାଟ ବାନ୍ଧି ରହିଥିବା ବରଫ ଓ ପଥରର ସ୍ତର) କ୍ରମାଗତ ଭାବରେ ତରଳିବାରେ ଲାଗିଛି ।

ପଥର, ମାଟି ଓ ବରଫକୁ ଏକାଠି ବାନ୍ଧି ରଖୁଥିବା ପର୍ମାଫ୍ରୋଷ୍ଟ ତରଳିଯିବା ଯୋଗୁଁ ପାହାଡ଼ଗୁଡ଼ିକ ଦୁର୍ବଳ ହୋଇପଡ଼ୁଛି । ୪,୮୦୫ ମିଟର ଉଚ୍ଚତାରେ ଥିବା ଗୁମ୍ଫା ଓ ରାସ୍ତାଗୁଡ଼ିକରେ ବାରମ୍ବାର ପଥର ଖସୁଥିବାରୁ ସେହି ବାଟ ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

'ମେଟେଓ ଫ୍ରାନ୍ସ'ର ତଥ୍ୟାନୁସାରେ, ୧୯୯୦ ଦଶକ ତୁଳନାରେ ସେଠାକାର ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ୩,୮୪୨ ମିଟର ଉଚ୍ଚ 'ଆଇଗୁଇଲ୍ ଡୁ ମିଡି' ଶୃଙ୍ଗର ହାରାହାରି ତାପମାତ୍ରା ୧୯୯୪ରେ ୧.୬ ଡିଗ୍ରୀ ସେଲସିୟସ ଥିବାବେଳେ ଏବେ ତାହା ୩.୩ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି ।

ବିଶ୍ୱବ୍ୟାପୀ ଗ୍ଲେସିଅର୍ ସଙ୍କଟ

ଇଟାଲୀରେ ୧୯୯୧ ମସିହା ପରଠାରୁ ଆଲପାଇନ୍ ଗ୍ଲେସିୟର୍ ନିଜର ୪୦ ପ୍ରତିଶତରୁ ଅଧିକ ଭାଗ ହରାଇସାରିଛି । ସେପଟେ ନେପାଳରେ ଗ୍ଲେସିୟର୍ ତରଳି ସୃଷ୍ଟି ହୋଇଥିବା ହ୍ରଦର ପ୍ରାଚୀର ଭାଙ୍ଗିଯିବାରୁ ଭୟଙ୍କର ବନ୍ୟା ଆସି ଅନେକ ଗାଁ ଭାସିଯାଇଛି, ପ୍ରାୟ ୧୫୦୦ ଲୋକଙ୍କ ଜୀବନ ଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ହିମାଳୟ ଅଞ୍ଚଳ ବିଶ୍ୱର ଅନ୍ୟ ଭାଗ ତୁଳନାରେ ଅଧିକ ଦ୍ରୁତ ଗତିରେ ଉତ୍ତପ୍ତ ହେଉଛି, ଯାହାକି ଆଗାମୀ ଦିନରେ ବଡ଼ ଧରଣର ବିପର୍ଯ୍ୟୟର କାରଣ ହୋଇପାରେ ।

ଗ୍ଲେସିୟରଗୁଡ଼ିକ ଅସ୍ଥିର ହୋଇପଡ଼ୁଥିବାରୁ ପାହାଡ଼ ତଳେ ଥିବା ଜନବସତିଗୁଡ଼ିକ ପ୍ରତି ପ୍ରତିମୁହୂର୍ତ୍ତରେ ବିପଦ ବୃଦ୍ଧି ପାଉଛି । ଏଥିପାଇଁ ତୁରନ୍ତ ସୂଚନା ପ୍ରଦାନ ଓ ଆଗୁଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ପ୍ରଶାସନ ଚେତାବନୀ ଦେଇଛି ।