ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ରବିବାର ମୁସଲିମ୍ ରାଷ୍ଟ୍ରଗୁଡ଼ିକୁ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବାର ୬ ମାସ ପୂରଣ ହେବା ଅବସରରେ ସେ ଏକ ସନ୍ଦେଶ ପଠାଇଛନ୍ତି।

ଫେବୃଆରୀ ୨୮ରେ ଯୁଦ୍ଧ ଆରମ୍ଭରେ ତାଙ୍କ ପିତା ଅଲି ଖାମେନିଙ୍କ ମୃତ୍ୟୁ ପରେ ମୋଜତାବା କ୍ଷମତାସୀନ ହୋଇଛନ୍ତି। ତେବେ ନିଯୁକ୍ତି ପରଠାରୁ ସେ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବରେ ନଜରକୁ ଆସିନାହାନ୍ତି କିମ୍ବା ତାଙ୍କର କୌଣସି ଭିଡିଓ-ଅଡିଓ ଜାରି କରାଯାଇ ନାହିଁ।

ପେଗମ୍ବର ମହମ୍ମଦଙ୍କ ଜୟନ୍ତୀ ଅବସରରେ ଖାମେନି କହିଛନ୍ତି ଯେ, ‘ଇସଲାମିକ ରାଷ୍ଟ୍ରଗୁଡ଼ିକର ସମସ୍ୟାର ସମାଧାନ ହେଉଛି  ବନ୍ଧୁତା ଏବଂ ସହଯୋଗ।’ ମୁସଲିମ୍ ସମୁଦାୟରେ ବିଭାଜନ ସୃଷ୍ଟି କରୁଥିବା ବ୍ୟକ୍ତି ଅଜାଣତରେ ହେଉ କି ଜାଣିଶୁଣି, ଇସଲାମର ଶତ୍ରୁଙ୍କୁ ହିଁ ସାହାଯ୍ୟ କରୁଛନ୍ତି।

ଆମେରିକା ଓ ଇସ୍ରାଏଲକୁ ଟାର୍ଗେଟ କରି ସେ ଆଞ୍ଚଳିକ ଶାସକମାନଙ୍କୁ ନିଜର ‘ପ୍ରକୃତ ଶତ୍ରୁକୁ ଚିହ୍ନିବା, ସେମାନଙ୍କ ଯୋଜନାକୁ ବୁଝିବା ଏବଂ ତାର ମୁକାବିଲା କରିବା’ ପାଇଁ ପରାମର୍ଶ ଦେଇଛନ୍ତି। ଇରାନର ସରକାରୀ ଅଧିକାରୀ ଓ ନାଗରିକମାନଙ୍କୁ ମତଭେଦ ଭୁଲି ଏକଜୁଟ ହେବାକୁ ସେ ନିବେଦନ କରିଛନ୍ତି। ସାମାଜିକ ଏକତାକୁ ନଷ୍ଟ କରୁଥିବା କୌଣସି ବି କାର୍ଯ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ ବୋଲି ସେ ଦୃଢ଼ ଭାବରେ ପ୍ରକାଶ କରିଛନ୍ତି।

ଯୁଦ୍ଧ ସମୟରେ ଇରାନ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ଜୋର୍ଡାନ, କୁଏତ, କତାର ଏବଂ ବାହାରିନ ଭଳି ଦେଶରେ ଥିବା ଆମେରିକୀୟ ସୈନ୍ୟଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା ।  ଫଳରେ ଏହି ଦେଶଗୁଡ଼ିକ ସହ ଇରାନର ସମ୍ପର୍କରେ ତିକ୍ତତା ଆସିଛି।

ଏହା ବ୍ୟତୀତ, ଆମେରିକାର ନୌସେନା ଅବରୋଧ ଏବଂ ବର୍ଷ ବର୍ଷର କଠୋର ପ୍ରତିବନ୍ଧକ ଯୋଗୁଁ ଇରାନର ଅର୍ଥନୀତି ପ୍ରଭାବିତ ହୋଇଛି। ଏହି ସ୍ଥିତିକୁ ସୁଧାରିବା ପାଇଁ ଖାମେନି ଇରାନ ଅର୍ଥନୀତିରୁ ଆମେରିକୀୟ ଡଲାରର ବ୍ୟବହାର ଧୀରେ ଧୀରେ କମାଇବା ଏବଂ ଘରୋଇ ଉତ୍ପାଦନ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି।