ନୂଆଦିଲ୍ଲୀ, ୨୧|୧୧: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆସେସ ସିରିଜ ଆରମ୍ଭ ହୋଇଛି । ମୁକାବିଲାର ପ୍ରଥମ ଦିନ ହିଁ ରୋମାଞ୍ଚ ଭରି ଦେଇଛି । କାରଣ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର ୧୭୨ ରନରେ ଅଲଆଉଟ ହୋଇଯାଇଛି । ତେବେ ଇଂଲଣ୍ଡ ବିପର୍ଯ୍ୟୟର ବଡ କାରଣ ହେଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ । ମ୍ୟାଚରେ ଓ୍ୱିକେଟ୍ ନେଇ ସେ ନୂଆ ଇତିହାସ ପ୍ରତିଷ୍ଠା କରିଛନ୍ତି ।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଇଂଲଣ୍ଡ । କିନ୍ତୁ ଫେଲ୍ ମାରିଥିଲା ଦଳର ରଣନୀତି । ଓପନର ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ବିନା କୌଣସି ରନରେ ଟିମ୍ ପ୍ରଥମ ଓ୍ୱିକେଟ୍ ହରାଇଥିଲା । ଓଲି ପୋପ୍ ଏବଂ ହ୍ୟାରି ବ୍ରୁକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର କଙ୍ଗାରୁ ପେସ ବାହିନୀର ମୁକାବିଲା କରିପାରିନଥିଲେ ।

ତେବେ ଅଷ୍ଟ୍ରେଲିଆ ପକ୍ଷରୁ ସବୁଠୁ ଦମଦାର ବୋଲିଂ କରିଥିଲେ ମିଚେଲ୍ ଷ୍ଟାର୍କ । ସେ ୧୨ ଓଭର ବୋଲିଂ କରି ୭ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଯାହା ଇଂଲଣ୍ଡ ଟିମର ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ରେଣ୍ଡନ୍ ଡଗେଟ୍ ଦୁଇଟି ଏବଂ କ୍ୟାମରନ ଗ୍ରୀନ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ତେବେ ଜୋ ରୁଟଙ୍କୁ ଆଉଟ୍ କରିବା ପରେ ଷ୍ଟାର୍କ ଆସେସରେ ୧୦୦ ଓ୍ୱିକେଟ୍ ପୂରଣ କରିଥିଲେ । ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଥିବା ସେ ୨୧ତମ ବୋଲର ହୋଇଛନ୍ତି । କିନ୍ତୁ ଆସେସରେ ୧୦୦ ଓ୍ୱିକେଟ୍ ନେଇଥିବା ପ୍ରଥମ ଏବଂ ଏକମାତ୍ର ବାମହାତୀ ଦ୍ରୁତ ବୋଲରର ଉପଲବ୍ଧି ହାସଲ କରିଛନ୍ତି ଷ୍ଟାର୍କ । ସେହିପରି କଙ୍ଗାରୁ ଟିମ୍ ପାଇଁ ଓ୍ୱିକେଟରେ ଶତକ ନେଇଥିବା ୧୩ତମ ବୋଲର ହୋଇଛନ୍ତି ।

ଅନଫିଟ୍ ପ୍ୟାଟ୍ କମିନ୍ସ ଏବଂ ଆହତ ଜୋସ ହେଜଲଉଡଙ୍କ ଅନୁପସ୍ଥିତରେ ଷ୍ଟାର୍କ ପେସ୍ ଆଟାକ ସମ୍ଭାଳିଥିଲେ । ସେ ପଦାର୍ପଣ କରୁଥିବା ବ୍ରେଣ୍ଡନ୍ ଡଗେଟଙ୍କ ସହ ଇଂଲଣ୍ଡର ବ୍ୟାଟିଂ ଲାଇନକୁ ଧ୍ୱଂସ କରିଦେଇଥିଲେ ।