ପାକିସ୍ତାନର GDP ବୃଦ୍ଧି ଅନୁମାନ ହ୍ରାସ କଲେ IMF, ସଂକଟରେ ଋଣଗ୍ରସ୍ତ ଦେଶ

NEWS7
missile-tracking-jahaj-in-india

ନୂଆଦିଲ୍ଲୀ ୨।୨: ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ପାକିସ୍ତାନର ଜିଡିପି ବୃଦ୍ଧି ଅନୁମାନକୁ ହ୍ରାସ କରିଛି। ୩.୨% ଥିବା ଜିଡିପି ବୃଦ୍ଧି ଅନୁମାନକୁ ଆଇଏମଏଫ ୩%ରେ ସୀମିତ କରିଦେଇଛନ୍ତି। ଫଳରେ ଋଣରେ ବୁଡି ରହିଥିବା ତଥା ଦ୍ରୁତ ବଢୁଥିବା ଜନସଂଖ୍ୟାର ଦେଶ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ଜାରି ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ମାନୁଫେକ୍ଚରିଂ କ୍ଷେତ୍ରରେ ହ୍ରାସ ସାଙ୍ଗକୁ ଧିମା ରପ୍ତାନୀ ଏହାର ମୁଖ୍ୟ କାରଣ।

ବିଦେଶୀ ଋଣ ଓ ଅନ୍ୟ ସହାୟତାରେ ଚାଲିଥିବା ଅର୍ଥ ବ୍ୟବସ୍ଥାର ପ୍ରବାସୀ ଶ୍ରମିକ ପଠାଉଥିବା ରେମିଟାନ୍ସ ଏକ ମାତ୍ର ଭରସା, ଯାହା ୨୦୨୫ ପ୍ରଥମ ତ୍ରୈମାସିକରେ ୮.୮ ବିଲିୟନ ଡଲାରର ସର୍ବକାଳୀନ ଉଚ୍ଚସ୍ତରକୁ ପହଞ୍ଚିଥିଲା। ଆଇଏମଏଫଙ୍କ ସର୍କୁଲାରରେ ବିଦେଶୀ ଋଣଦାତାଙ୍କ ସହମତି ଓ ପ୍ରବାସୀ ଶ୍ରମିକଙ୍କ ଆୟ ଉପରେ ନିର୍ଭର ଅର୍ଥ ବ୍ୟବସ୍ଥା ଦୀର୍ଘକାଳୀନ ସ୍ଥାୟୀ ବୃଦ୍ଧି ହାସଲ କରିପାରିବନି ବୋଲି କୁହାଯାଇଛି। ଏଣୁ ଦେଶକୁ ବିଦେଶୀ ନିବେଶ ଆକର୍ଷିତ କରିବା ଓ ଅଣ ଉତ୍ପାଦକ ସରକାରୀ ଉଦ୍ୟୋଗ ବୋଝ ହ୍ରାସ କରିବା ପାଇଁ ଆର୍ଥିକ ସଂସ୍କାର ଏବେ ସରକାରଙ୍କ ଲାଗି ଜରୁରି।

ତେବେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ସ୍ଥିର ରହିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଆଇଏମଏଫ କହିଛନ୍ତି। ହେଲେ ସ୍ୱଳ୍ପ ବୃଦ୍ଧି, ନିବେଶ ଓ ପ୍ରତିଦ୍ୱନ୍ଦ୍ୱୀତାମୂଳକ କମ୍ପାନୀଙ୍କ ବିନା ଏହି ସ୍ଥିରତା ଦୀର୍ଘ ସମୟ ରହିପାରିବନି ବୋଲି ମଧ୍ୟ ସତର୍କ କରାଇଛନ୍ତି। ଏହା ସତ୍ତ୍ୱେ ମଜଭୁତ ଓ ସ୍ଥିର ମୁଦ୍ରା, ହ୍ରାସ ହେଉଥିବା ମୁଦ୍ରାସ୍ଫୀତି, ନୀତିଗତ ହାରରେ ହ୍ରାସ ସତ୍ତ୍ୱେ ନିରାଶାଜନକ ବୃଦ୍ଧି ଦେଶର ଆର୍ଥିକ ଛବିରେ ଦାଗ ହୋଇଯାଇଛି। ଏଣୁ ଦେଶ ଏବେବି ଆଇଏମଏଫଙ୍କ ଋଣ ଉପରେ ନିର୍ଭର ରହିଛି।

ବାସ୍ତବରେ କରେଣ୍ଟ ଆକାଉଣ୍ଟ ସରପ୍ଲସ ସେତେବେଳେ ଆସିଲା ଯେତେବେଳେ ୟୁଏଇ ପାକିସ୍ତାନ ଷ୍ଟେଟବ୍ୟାଙ୍କରେ ତାର ୨ ବିଲିୟନ ଡଲାର ଜମା ରାଶିକୁ ଆଗାମୀ ଏକ ବର୍ଷ ନିମନ୍ତେ ରୋଲ ଓଭର କରିବାକୁ ନିଷ୍ପତ୍ତି ନେଲା। ତେବେ ୟୁଏଇର ନିଷ୍ପତ୍ତି ଲାଗି ପାକିସ୍ତାନର ଘରୋଇ ଆର୍ଥିକ ନୀତିକୁ ଶ୍ରେୟ ଦିଆଯାଇ ପାରିବନି ବୋଲି ଆଇଏମଏଫ ସ୍ପଷ୍ଟ କରିଦେଇଛନ୍ତି।