Abhijit Majumdar : ଅଧ୍ୟାପକରୁ ମେଲୋଡି କିଙ୍ଗ୍... ଏମିତି ସଙ୍ଗୀତ ଦୁନିଆରେ ଚାଲିଥିଲା ଅଭିଜିତ ରାଜ୍

NEWS7
minister-reaction-on-paddy-procurement

ଭୁବନେଶ୍ୱର ୨୫।୦୧ : ଅଭିଜିତ ମଜୁମଦାର । ଏମିତି ଏକ ନା... ପୁରା ସଙ୍ଗୀତ ଦୁନିଆ ଥିଲା ଯଥେଷ୍ଟ । ଯାହାଙ୍କ ସ୍ୱର ସିଧା ହୃଦୟକୁ ଛୁଇଁଯାଏ । କିନ୍ତୁ ଆଜି ଆଉ ଏହି ସ୍ୱର ଶୁଣିବାକୁ ମିଳିବନି । କାହିଁକି ଜୀବନ ଯୁଦ୍ଧରେ ହାରିଗଲେ ଓଲିଉଡ୍ର ଭେଟେରାନ୍ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମ୍ଦାର ।

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଜିତ୍ ମଜୁମଦାରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଦାଦାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଆ ଫିଲ୍ମ ଓ ଆଲବମ ଜଗତକୁ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି ଅଭିଜିତ୍। ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଛୋଟ ଛୋଟ ଆଲବମ ଓ ମଞ୍ଚରୁ ନିଜ କ୍ୟାରିୟର ଆରମ୍ଭ କରି ଆଜି ଫ୍ୟାନ୍ସ ହୃଦୟରେ ସ୍ୱତନ୍ତ୍ର ଘର କରିପାରିଛନ୍ତି ।

୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଂଙ୍ଗୀତ ଜଗତରେ ପାଦ ଦେଇଥିଲେ । ପ୍ରଥମ ଥର ପାଇଁ ସମ୍ବଲପୁରୀ ଆଲବମ୍ 'ଦକ୍ସିଗଲା' ଗାଇଥିଲେ ଅଭିଜିତ୍ । ଏହା ପରେ ଧୀରେ ଧୀରେ, ତାଙ୍କ ସ୍ୱର ଲୋକଙ୍କ ମନରେ ଘର କରିଥିଲା। ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ କଣ୍ଠଶିଳ୍ପୀ ସହ ୨୦୦୦ ମସିହାରେ ସଂଗୀତ ନିର୍ଦ୍ଦେଶକ ଭାବେ ଉଭା ହେଲେ ଅଭିଜିତ ମଜୁମଦାର । ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍ ଓ ଓଡ଼ିଆ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅନେକ ଗୀତ ସେ ଗାଇଛନ୍ତି ।

୧୯୭୧ ସେପ୍ଟେମ୍ବର୧୧ରେ ଅଭିଜିତଙ୍କ ଜନ୍ମଗ୍ରହଣ। ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ ଅଭିଜିତ । ଅଭିଜିତଙ୍କ ବାପା ଥିଲେ ପ୍ରଫେସର। ଜଣେ ମେଧାବୀ ଛାତ୍ର ଥିଲେ ଅଭିଜିତ ମଜୁମଦାର। ପିଲାବେଳର ପାଠ ପଢା ସାରି ସମ୍ବଲପୁର GM କଲେଜରୁ `ଗଣିତ ଅନର୍ସ'ରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଗଣିତରେ PG କରି ଅଧ୍ୟାପକ ଥିଲେ ଅଭିଜିତ। ସବୁଠୁ ବଡ଼ କଥା ହେଉଛି, ସେ ସଙ୍ଗୀତ ନିର୍ଦ୍ଦେଶକ ହେବା ପାଇଁ ନିଜ ଅଧ୍ୟାପକ ଚାକିରିରୁ ଇସ୍ତଫା ଦେଇଥିଲେ। ୧୯୯୬ରେ ସଙ୍ଗୀତ କ୍ଷେତ୍ରରେ କାମ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇ କଟକ ଆସିଥିଲେ । ଆଉ ଏହା ପରଠାରୁ କେବେ ବି ସେ ପଛକୁ ଚାହିଁ ନଥିଲେ। ଓଡିଆ ସଂଗୀତ ଜଗତକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଲେ। ତାଙ୍କ ସ୍ୱରରେ ଝୁମିଥିଲା ପୁରା ଓଡିଶା । କିନ୍ତୁ ଆଜି ଶୋକର ସାଗରରେ ସମସ୍ତଙ୍କୁ ଭସାଇ ଚାଲି ଯାଇଛନ୍ତି।