LIVE TV

ବାଣିଜ୍ୟ ଡିଲ୍ ପାଇଁ ପିୟୂଷ ଗୋୟଲଙ୍କ ନେତୃତ୍ୱରେ ଆମେରିକା ଗସ୍ତ କରିବ ଭାରତୀୟ ପ୍ରତିନିଧି ଦଳ

NEWS7
Piyush goyal to visit US for trade talks


ନୂଆଦିଲ୍ଲୀ: ବାଣିଜ୍ୟ ଡିଲ୍ କରିବା ପାଇଁ ଆମେରିକା ଗସ୍ତ କରିବ ଭାରତୀୟ ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳର ନେତୃତ୍ୱ ନେବେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ। ଏଦି ଦଳ ସେପ୍ଟେମ୍ବର ୨୨ ତାରିଖରେ ଆମେରିକା ଗସ୍ତ କରିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି। ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ ​​କରିବା ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ଟ୍ରମ୍ପଙ୍କ ସଦ୍ୟତମ ଶୁଳ୍କ ସମେତ ପ୍ରମୁଖ ବାଣିଜ୍ୟ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବା ଏହି ଗସ୍ତର ପ୍ରମୁଖ ଲକ୍ଷ୍ୟ ହେବ।  

ଭାରତ ସହିତ ବାଣିଜ୍ୟ ଡିଲ୍ କରିବାକୁ ନିକଟରେ ଆମେରିକା ପ୍ରତିନିଧି ଦଳ ଭାରତ ଆସିଥିଲେ। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ସକାରାତ୍ମକ ରହିଥିଲା। ଏହାପରେ କଥା ଆଗକୁ ବଢ଼ିଛି। ବୁଧବାର ଆମେରିକାର ମୁଖ୍ୟ ଆଲୋଚନାକାରୀ ବ୍ରେଣ୍ଡନ ଲିଞ୍ଚ ଏବଂ ତାଙ୍କ ଭାରତୀୟ ପ୍ରତିପକ୍ଷ ରାଜେଶ ଅଗ୍ରୱାଲ ନୂଆଦିଲ୍ଲୀରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ଉପରେ ଏକ ଦିନିକିଆ ଆଲୋଚନା କରିଥିଲେ। ବୈଠକ ପରେ, ବାଣିଜ୍ୟ ମନ୍ତ୍ରଣାଳୟ କହିଥିଲା ଯେ ଆମେରିକୀୟ ଦଳ ସହିତ ଆଲୋଚନା ସକାରାତ୍ମକ ଥିଲା। ଉଭୟ ପକ୍ଷ ଚୁକ୍ତିର ଶୀଘ୍ର ଏବଂ ପାରସ୍ପରିକ ଲାଭଦାୟକ ନିଷ୍କର୍ଷ ପାଇଁ ଜୋର ଦେବାକୁ ରାଜି ହୋଇଛନ୍ତି।

ଏହି ଆଲୋଚନା ପରେ ଆମେରିକା  ଭାରତ ଉପରେ ଶୁଳ୍କ ହ୍ରାସ କରିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ହ୍ରାସ କରିବା ସହିତ ଭାରତ ଉପରେ ଟାରିଫକୁ ୧୦-୧୫ ପ୍ରତିଶତ କରାଯାଇପାରେ ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା। ଏବେ ପିୟୂଷ ଗୋୟଲଙ୍କ ଆମେରିକା ଗସ୍ତ ଦୁଇ ଦେଶର ବାଣିଜ୍ୟିକ ଚୁକ୍ତି କେଉଁ ମୋଡ଼ ଦେଉଛି ତାହା ସମୟ ଆସିଲେ ଜଣାପଡ଼ିବ।

ସୂଚନା ଥାଉକି, ଆମେରିକା ଅଗଷ୍ଟ ୭ ତାରିଖରୁ ଭାରତ ଉପରେ ୨୫% ଜବାବୀ ଶୁଳ୍କ ଲାଗୁ କରିଥିଲା। ଏହାପରେ ଅଗଷ୍ଟ ୨୭ ତାରିଖରୁ ରୁଷୀୟ ତୈଳ କ୍ରୟ ପାଇଁ ଜରିମାନା ସ୍ୱରୂପ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରାଯାଇଥିଲା। ଫଳରୋ ବର୍ତ୍ତମାନ ଭାରତ ଉପରେ ମୋଟ ୫୦% ଶୁଳ୍କ ଲଗାଇଛି ଆମେରିକା। ଯାହା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ଆଉ ଏହାକୁ ଟ୍ରାକକୁ ଫେରାଇ ଆଣିବାକୁ ଉଭଯ ପକ୍ଷରୁ ଚେଷ୍ଟା ଜାରି ରହିଛି।