ବକିଙ୍ଗହମ ପାଲେସ ସମ୍ମୁଖ ସଡ଼କରେ ସାମରିକ ଘୋଡ଼ାଙ୍କ ଉତ୍ପାତ, ୪ ଆହତ

Published By : Prameya-News7 Bureau | April 24, 2024 IST

ଲଣ୍ଡନ ୨୪।୪: ମଧ୍ୟଲଣ୍ଡନର ବକିଙ୍ଗହମ ପାଲେସ ନିକଟ ସଡ଼କରେ ବୁଧବାର ୪ଟି ସାମରିକ ଘୋଡ଼ା ଉତ୍ପାତ କରିଛନ୍ତି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବାର ଜଣାପଡିଛି। ଏହି ଘଟଣା ସେନାର ନିୟମିତ ଅଭ୍ୟାସ କାଳରେ ହୋଇଛି। ଏହି ଘଟଣା କାଳରେ ଘୋଡା ଉପରେ ଶଇସ ମଧ୍ୟ ଥିଲେ। ଲୋକେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଏବଂ ଫଟୋ ସେୟାର କରୁଛନ୍ତି। ଏଥିରେ ଭାରତୀୟ ଉଚ୍ଚାୟୋଗ ଓ ୱେଷ୍ଟଏଣ୍ଡ ଥିଏଟର ଡିଷ୍ଟ୍ରିକ୍ଟ ମଧ୍ୟରେ ରକ୍ତାକ୍ତ ଘୋଡାମାନଙ୍କୁ ଦୌଡୁଥିବାର ଦେଖାଯାଇଛି। 

ତେବେ ପରେ ବ୍ରିଟେନ ସେନା ଘୋଡାଗୁଡିକୁ ନିୟନ୍ତ୍ରିତ କରାଯାଇଥିବା ସୂଚନା ଦେଇଛି। ଏହି ଘଟଣାରେ କେତେକ କର୍ମଚାରୀ ଓ ଘୋଡା ଆହତ ହୋଇଛନ୍ତି।  ଘୋଡ଼ାମାନଙ୍କୁ କ୍ୟାମ୍ପକୁ ଲେଉଟାଇ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କୁ ଚିକିତ୍ସକୀୟ ସହାୟତା ପ୍ରଦାନ କରାଯାଇଛି।  କୁହାଯାଉଛି ବକିଙ୍ଗହମ ପାଲେସ ଆଖପାଖରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ହେଉଥିବା ଶବ୍ଦ ଘୋଡାଙ୍କୁ ବିଚଳିତ କରିଥିଲା। ଏଣୁ ସେମାନେ ଅମାନିଆ ହୋଇ ଜନଗହଳିପୂର୍ଣ୍ଣ ରାସ୍ତାକୁ ଦୌଡିଥିଲେ। 

ଆଗାମୀ ମାସରେ କ୍ୱିନ୍‌ଙ୍କ ବାର୍ଷିକ ଜନ୍ମଦିନ ଯାହାକୁ ‘ଟ୍ରୁପିଙ୍ଗ ଦି କଲର’ କୁହାଯାଏ। ସେଥି ପାଇଁ ପ୍ୟାରେଡ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଘଟଣା ଘଟିଛି। ବକିଙ୍ଗହମ ପାଲେସ୍ କିଙ୍ଗ ଚାର୍ଲସ ତୃତୀୟଙ୍କ ନିବାସ ସ୍ଥାନ। ଏହି ଘଟଣାରେ ୩ ଜଣ ସୈନିକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.