ମସଲାରେ ପେଷ୍ଟିସାଇଡକୁ ନେଇ ମୁହଁ ଖୋଲିଲା MDH, କହିଲା ଅଭିଯୋଗ ନିରାଧାର, ଏପରି କୌଣସି ପ୍ରମାଣ ନାହିଁ

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ ୨୮।୪: ଭାରତୀୟ ମସଲା କମ୍ପାନୀ ଏମଡିଏଚ୍ ମସଲାରେ ଅପମିଶ୍ରଣ କଥା ସାମ୍ନାକୁ ଆସିବା ପରେ କମ୍ପାନୀ ପକ୍ଷରୁ ବୟାନ ଜାରି କରାଯାଇଛି। ଏମଡିଏଚ୍ ପକ୍ଷରୁ ଏହି କଥାକୁ ଅସ୍ୱୀକାର କରାଯାଇଛି ଯେ ଏହାର ମସଲାରେ କ୍ୟାନସର ସୃଷ୍ଟିକାରୀ କୀଟନାଶକ ରହିଛି। କମ୍ପାନୀ ଏହି ଅଭିଯୋଗକୁ ଭିତ୍ତିହୀନ, ତ୍ରୁଟିପୂର୍ଣ୍ଣ ଓ ବିନା କୌଣସି ପ୍ରମାଣରେ ବୋଲି କହିଛି। କମ୍ପାନୀର ଏହି ବୟାନ ହଂକଂ ଓ ସିଙ୍ଗାପୁରରେ ଦୁଇ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ୍ ଓ ଏଭେରେଷ୍ଟକୁ ନିଜ ଦେଶରେ ନିଷିଦ୍ଧ କରିବାର କିଛି ଦିନ ପରେ ଆସିଛି। 

ହଂକଂ ଓ ସିଙ୍ଗାପୁର ଦାବି କରିଛନ୍ତି ଯେ କେତେକ ମସଲାରେ କାର୍ସିନୋଜେନିକ(କର୍କଟ ଉତ୍ପନ୍ନକାରୀ) ପେଷ୍ଟିସାଇଡ୍ ଏଥିଲିନ ଅକ୍ସାଇଡ ମିଳିଛି। ତେବେ ଏମଡିଏଚ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆମ ମସଲାରେ ଏଥିଲିନ ଅକ୍ସାଇଡ ମିଳିବାର ଅଭିଯୋଗ ମିଥ୍ୟା ଓ ଏହାର କୌଣସି ପ୍ରମାଣ ନାହିଁ। ସେ କହିଛନ୍ତି ଯେ ଏ ସମ୍ପର୍କରେ ସିଙ୍ଗାପୁର ଅଥବା ହଂକଂର ଅଧିକାରୀଙ୍କ ଏମଡିଏଚ ସହ କୌଣସି ପ୍ରକାରର ସମ୍ପର୍କ ହୋଇ ନାହିଁ। ଏଥିରୁ ଏହା ସ୍ପଷ୍ଟ ଯେ ଏମଡିଏଚ୍ ବିରୋଧରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ଏହାର କୌଣସି ମଜଭୁତ ପ୍ରମାଣ ନାହିଁ। 

ଏମଡିଏଚ୍ ଗ୍ରାହକଙ୍କୁ ଭରସା ଦେଇଛନ୍ତି ଯେ ତାଙ୍କର ସବୁ ମସଲା ସୁରକ୍ଷିତ ଓ ଉଚ୍ଚମାନର। ବୟାନରେ କୁହାଯାଇଛି ଯେ ଆମେ ଆମର କ୍ରେତା ଓ ଗ୍ରାହକଙ୍କୁ ବିଶ୍ୱାସ ଦେଉଛୁ ଯେ ଆମେ ଆମ ମସଲା ରଖିବା, ପେଷିବା ଅଥବା ପ୍ୟାକ୍‌ କରିବାର କୌଣସି ପ୍ରକ୍ରିୟାରେ କେବେବି ଏଥଲିନ ଅକ୍ସାଇଡ୍ ର ବ୍ୟବହାର କରୁ ନାହିଁ। ଆମେ ଭାରତ ଓ ବିଦେଶ ଉଭୟ ସ୍ଥାନରେ ସେଫ୍ଟି ଷ୍ଟାଣ୍ଡାର୍ଡ ଫଲୋ କରିଥାଉ। ଦୁଇ କମ୍ପାନୀଙ୍କ ମସଲାରେ ଏଥିଲିନ ଅକ୍ସାଇଡ ନାମକ କୀଟନାଶକ ମିଳିବା ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତ ସରକାରଙ୍କ ପକ୍ଷରୁ କ୍ୱାଲିଟି ଷ୍ଟାଣ୍ଡାର୍ଡ ତଦନ୍ତର କଥା କୁହାଯାଇଛି। 

ତେବେ କେବଳ ହଂକଂ, ସିଙ୍ଗାପୁର ଅଥବା ଭାରତ ନୁହେଁ ଆମେରିକାରେ ବି ଦୁଇ ବ୍ରାଣ୍ଡକୁ ନେଇ ଗତିବିଧି ଆରମ୍ଭ ହୋଇଯାଇଛି। ସିଙ୍ଗାପୁର ଓ ହଂକଂରେ ନିଷିଦ୍ଧ ହେବା ପରେ ଆମେରିକାରେ ବି କଡା ମନଭାବ ପୋଷଣ କରାଯାଉଛି। ଆମେରିକା ଫୁଡ ସେଫ୍ଟି ବିଭାଗ ୟୁଏସଏଫଡିଏ ଏମଡିଏଚ୍ ଓ ଏଭରେଷ୍ଟ ମସଲା ସମ୍ପର୍କରେ ସୂଚନା ସଂଗ୍ରହ ଆରମ୍ଭ କରିଛି। ଏଫଡିଏ ଉଭୟ ବ୍ରାଣ୍ଡର ପ୍ରଡକ୍ଟକୁ ନେଇ ଏବେ ସତର୍କତା ଅବଲମ୍ବନ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.