ସୁପ୍ରିମକୋର୍ଟକୁ ପହଞ୍ଚିଲା କରୋନା ଭାକ୍ସିନ କୋଭିସିଲ୍ଡ ପାର୍ଶ୍ୱପ୍ରତିକ୍ରିୟା ମାମଲା, ତଦନ୍ତ ନିମନ୍ତେ ପ୍ୟାନେଲ ଗଠନ ପାଇଁ ଦାବି

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୧।୫:  କରୋନା ଭାକ୍ସିନ କୋଭିସିଲ୍ଡ ସୁରକ୍ଷା ଦିଗକୁ ନେଇ ବିବାଦ ସୁପ୍ରିମକୋର୍ଟକୁ ପହଞ୍ଚିଛି। ୧ ମେ ବୁଧବାର କୋଭିସିଲ୍ଡ ଭାକ୍ସିନ  ବିପଦର କାରଣ ଅଧ୍ୟୟନ ନିମନ୍ତେ ଏକ ବିଶେଷଜ୍ଞ ଡାକ୍ତରୀ ପ୍ୟାନେଲ ଗଠନ ପାଇଁ କୋର୍ଟରେ ଏକ ନିବେଦନ ଦାଖଲ ହୋଇଛି। ଏହା ସହିତ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ହୀତରେ ନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ ଦାବି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଓକିଲ ବିଶାଲ ତିୱାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ ହୋଇଛି। 

ଆବେଦନରେ ତିୱାରୀ କହିଛନ୍ତି ଯେ ଭାରତରେ କୋଭିସିଲ୍ଡର ୧୭୫ କୋଟିରୁ ଅଧିକ ଡୋଜ ଦିଆଯାଇଛି। କୋଭିଡ-୧୯ ପରେ ହୃଦଘାତ ଯୋଗୁ ଓ ଅଚାନକ ଚେତନାଶୂନ୍ୟ ହେବା ଯୋଗୁ ମୃତ୍ୟୁ ହାର ବଢିବଢି  ଚାଲିଛି। ଏପରିକି ଯୁବକମାନଙ୍କୁ ବି ହୃଦଘାତ ହେଉଥିବାର ଅନେକ ମାମଲା ସାମ୍ନାକୁ ଆସିଲାଣି। ଏବେ କୋଭିସିଲ୍ଡର ଡେଭଲପରଙ୍କ ପକ୍ଷରୁ ବ୍ରିଟେନ କୋର୍ଟରେ ଡକ୍ୟୁମେଣ୍ଟ ଦାଖଲ ପରେ, ଆମେ କୋଭିସିଲ୍ଡ ଭାକ୍ସିନର ବିପଦଜନକ ପରିଣାମକୁ ନେଇ ଚିନ୍ତା କରିବାକୁ ବାଧ୍ୟ ହେଉଛୁ,ଯାହା ବହୁ ସଂଖ୍ୟାରେ ନାଗରିକଙ୍କୁ ଦିଆଯାଇଛି।   

ଆବେଦନରେ କୁହାଯାଇଛି ଯେ ଭାକ୍ସିନ ବିକଶିତ କରିଥିବା କମ୍ପାନୀ ଏଷ୍ଟ୍ରାଜେନେକା କହିଛି ଯେ ତାର କୋଭିଡ-୧୯ ବିପକ୍ଷରେ ଏଜେଡଡି୧୨୨୨ଭାକ୍ସିନ କମ ପେଲେଟଲେଟ୍ କାଉଣ୍ଟ ଓ ଦୁର୍ଲଭ ମାମଲାରେ ରକ୍ତ ଜମାଟ ବାନ୍ଧିବାର କାରଣ ହୋଇପାରେ। ଏହି ଭାକ୍ସିନକୁ ଭାରତରେ କୋଭିସିଲ୍ଡ ରୂପେ ଲାଇସେନ୍ସରେ ତିଆରି କରାଯାଇଥିଲା। କୋର୍ଟରେ ଦାଖଲ ଆବେଦନରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ଜଜଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଉ ଓ କୋଭିସିଲ୍ଡର ଦୁସ୍ପ୍ରଭାବ ଯାଞ୍ଚ କରାଯାଉ। 

ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ କମିଟିରେ ଏମସ୍, ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଦିଲ୍ଲୀର ନିର୍ଦ୍ଦେଶକଙ୍କୁ ଏକ୍ସପର୍ଟ ସଦସ୍ୟ ରୂପେ ସାମିଲ କରାଯାଉ। ସେହିପରି ଓକିଲ ତିୱାରୀ କେନ୍ଦ୍ର ସରକାରଙ୍କୁ ସେହି ନାଗରିକ ଓ ପରିବାରଙ୍କ ନିମନ୍ତେ ଯେଉଁମାନେ ଟିକା ନେବା ପରେ ଦୁର୍ବଳ ସ୍ୱାସ୍ଥ୍ୟ ସମ୍ପର୍କିତ ଝଟକା ଓ ଏପରିକି ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିଛି  ସେଥି ପାଇଁ ଏକ ‘ଭାକ୍ସିନ କ୍ଷତି ପୈଠ ପ୍ରଣାଳୀ’ ସ୍ଥାପନା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଦାବି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.