କୋଭିସିଲ୍ଡକୁ ନେଇ ଚିନ୍ତା ମଧ୍ୟରେ ଆସିଲା ଏଷ୍ଟ୍ରାଜେନେକାର ବୟାନ, ଜାଣନ୍ତୁ କହିଛି କ’ଣ?

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୧।୫: ଏଷ୍ଟ୍ରେଜେନେକା-ଅକ୍ସଫର୍ଡ କୋଭିଡ-୧୯ ଭାକ୍ସିନ ଯୋଗୁ ହେଉଥିବା ‘ବିରଳ ପାର୍ଶ୍ୱପ୍ରତିକ୍ରିୟା’କୁ ନେଇ ଚିନ୍ତା ମଧ୍ୟରେ ଏହି ଭାକ୍ସିନକୁ ତିଆରି କରିଥିବା କମ୍ପାନୀର ବୟାନ ଆସିଛି। ଏହି ବ୍ରିଟିଶ ଫାର୍ମା କମ୍ପାନୀ ରୋଗୀଙ୍କ ସୁରକ୍ଷାକୁ ନେଇ ନିଜର ପ୍ରତିବଦ୍ଧତା ଜଣାଇଛି। କମ୍ପାନୀ କହିଛି ଯେ ତାର ସମ୍ବେଦନା ସେହି ସବୁଲୋକଙ୍କ ସହିତ ରହିଛି ଯେଉଁମାନେ ଟିକା ଯୋଗୁ କାହାକୁ ହରାଇଛନ୍ତି ଅଥବା ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ରୋଗୀଙ୍କ ସୁରକ୍ଷା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଭାକ୍ସିନ ତିଆରିଥିବା କମ୍ପାନୀ ଏଷ୍ଟ୍ରାଜେନେକା ପ୍ରଥମ ଥର ସ୍ୱୀକାର କରିଥିଲେ ଯେ ତାଙ୍କ ପ୍ରସ୍ତୁତ ଭାକ୍ସିନ ଯୋଗୁ ବିରଳ ମାମଲାରେ ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ। ଭାରତରେ ଏଷ୍ଟ୍ରାଜେନେକାର ଏହି ଭାକ୍ସିନ ଉତ୍ପାଦନ ଅଦାର ପୁନାୱାଲାଙ୍କ କମ୍ପାନୀ ସିରମ ଇନିଷ୍ଟିଚ୍ୟୁଟ କରିଥିଲା। କମ୍ପାନୀ ଏହି ଭାକ୍ସିନକୁ ‘କୋଭିସିଲ୍ଡ’ ନାମ ଦେଇ ଭାରତୀୟ ବଜାରରେ ଉପଲବ୍ଧ କରିଥିବା ବେଳେ କୋଟି କୋଟି ଲୋକଙ୍କ ଟିକାକରଣ ହୋଇଥିଲା। 

ଏଷ୍ଟ୍ରାଜେନେକା ମୁଖପାତ୍ର ଗଣମାଧ୍ୟମ ସହ ଆଲୋଚନାରେ ସମ୍ବେଦନା ପ୍ରକଟ କରିବା ସହ କହିଛନ୍ତି ଯେ ଆମର ସାହନୁଭୂତି ସେହି ଲୋକଙ୍କ ପ୍ରତି ରହିଛି ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଅଥବା ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ରୋଗୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଓ ନିୟାମକ ଅଧିକାରୀଙ୍କ ନିକଟରେ ଭାକ୍ସିନ ସମେତ ସମସ୍ତ ଔଷଧର ସୁରକ୍ଷିତ ଉପଯୋଗ ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ ଓ କଡ଼ା ମାନକ ରହିଛି। 

ଏହି ପୁରା ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏଷ୍ଟ୍ରାଜେନେକା ବ୍ରିଟେନ ହାଇକୋର୍ଟରେ ସ୍ୱୀକାର କରିଥିଲେ ଯେ ତାଙ୍କ କୋଭିଡ-୧୯ ଭାକ୍ସିନ ଯୋଗୁ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (ଟିଟିଏସ) ଭଳି ପାର୍ଶ୍ୱପ୍ରତିକ୍ରିୟା ହୋଇପାରେ। ଟିଟିଏସ ପାର୍ଶ୍ୱପ୍ରତିକ୍ରିୟାରେ ଶରୀରରେ ରକ୍ତ ଜମାଟ ବାନ୍ଧେ (ବ୍ଲଡ କ୍ଲଟ) ଅଥବା ଶରୀରରେ ପେଲେଟଲେଟସ୍ ରେ ଦ୍ରୁତ ଅବନତି ହୋଇଥାଏ। ଶରୀରରେ ବ୍ଲଡ କ୍ଲଟ ଯୋଗୁ ହୃଦଘାତ ଓ ମସ୍ତିଷ୍କାଘାତ ଆଶଙ୍କା ବଢି ଯାଇଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.