ଭୁବନେଶ୍ବର: ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ ରଖି ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଘର ଘର ବୁଲି (ଡୋର୍-ଟୁ-ଡୋର୍) ସର୍ଭେ କରାଯିବ। ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଏହି ସର୍ଭେ ପାଇଁ ମାଷ୍ଟର ଟ୍ରେନରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୩ ତାରିଖରେ ଆୟୋଜନ କରାଯିବ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ୯ ସେପ୍ଟେମ୍ବର ୨୦୨୬ର ଚିଠି ଅନୁଯାୟୀ, ଭୁବନେଶ୍ୱରସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟରର ଗ୍ରାଉଣ୍ଡ ଫ୍ଲୋରରେ ସକାଳ ୧୦ଟା ୩୦ରୁ ଏହି ପ୍ରଶିକ୍ଷଣ ଆରମ୍ଭ ହେବ। ଜିଲ୍ଲାସ୍ତରରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବାକୁ ଥିବା ଅଧିକାରୀମାନଙ୍କୁ ଏଥିରେ ଯୋଗଦେବାକୁ କୁହାଯାଇଛି। ଏହି ମାଷ୍ଟର ଟ୍ରେନରମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ। ପରେ ନିଯୁକ୍ତ ସର୍ଭେ ଟିମଗୁଡ଼ିକ ଅକ୍ଟୋବର ୨୬ରୁ ନଭେମ୍ବର ୭, ୨୦୨୬ ପର୍ଯ୍ୟନ୍ତ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ସର୍ଭେ କରିବେ।

Also Read: ଆର୍ ଆଣ୍ଡ୍ ବି ଡିଭିଜନ୍-୧ର ଆର୍ଥିକ ଅନିୟମିତତା ମାମଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ

ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ଜିଲ୍ଲାରୁ ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ଡେପୁଟି/ଆସିଷ୍ଟାଣ୍ଟ କଲେକ୍ଟର, ବିଡିଓ, ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ, ବିଏଲ୍ଓ ସୁପରଭାଇଜର ଏବଂ ସମସ୍ତ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ସାମିଲ କରାଯାଇଛି। ମହାନଗର ନିଗମଗୁଡ଼ିକ ମଧ୍ୟ ନିଜ ଅଞ୍ଚଳର ନିର୍ବାଚନ ଦାୟିତ୍ୱରେ ଥିବା ଦୁଇଜଣ ଡେପୁଟି କମିଶନର କିମ୍ବା ଆସିଷ୍ଟାଣ୍ଟ କମିଶନରଙ୍କୁ ପ୍ରଶିକ୍ଷଣ ପାଇଁ ପଠାଇପାରିବେ।

ମନୋନୀତ ଅଧିକାରୀମାନଙ୍କ ନାମ, ପଦବୀ, ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପଠାଇବାକୁ କୁହାଯାଇଛି। ପ୍ରଶିକ୍ଷଣରେ ଯୋଗଦେବାକୁ ଥିବା ଅଧିକାରୀମାନେ ପଞ୍ଜୀକରଣ ପାଇଁ ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।