ଭୁବନେଶ୍ଵର: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସମୁଦ୍ର ମଝିରେ ଦେଖାଗଲା ବିଚିତ୍ର ଦୃଶ୍ୟ। ହଠାତ ସମୁଦ୍ର ଉପରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଏହି ମେଘ ବାଦଲ ଦେହରୁ ସମୁଦ୍ର ମଧ୍ୟକୁ ଲମ୍ବିଯାଇଥିଲା ଏକ ଲମ୍ବା ଜଳ ନିର୍ମିତ କାହାଳୀ। ସମୁଦ୍ର ମଝିରେ ସୃଷ୍ଟି ହୋଇଥିଲା ଏକ ‘ଜଳସ୍ତମ୍ଭ’।

ବିଶିଷ୍ଟ ପାଣିପାଗ ବିଜ୍ଞାନୀ କହିଛନ୍ତି, ପୁରୀ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଦେଖାଦେଇଥିବା ଦୃଶ୍ୟକୁ ‘ୱାଟର ସ୍ପାଉଟ୍’ ବା ‘ଜଳସ୍ତମ୍ଭ’ ବୋଲି କୁହନ୍ତି। ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ‘ବାୟୁମଣ୍ଡଳୀୟ ଅସ୍ଥିରତା’ ଏବଂ ‘କୁମୁଲୋନିମ୍ବସ୍ ମେଘ’ ଏହାର କାରଣ ହୋଇଥାଇପାରେ । ‘ୱାଟର ସ୍ପ୍ରାଉଟ୍’ ହେଉଛି ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ଯାହା ଜଳଭାଗ ଉପରେ ସୃଷ୍ଟି ହୋଇଥାଏ। ଏହା ଦେଖିବାକୁ ଏକ କାହାଳୀ ସଦୃଶ ମେଘ ପରି, ଯାହା ଆକାଶର ମେଘରୁ ବାହାରି ଜଳପୃଷ୍ଠ ପର୍ଯ୍ୟନ୍ତ ଲମ୍ବିଥାଏ।

ଏହା ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ। ‘ଫେୟାର୍ ୱେଦର୍ ୱାଟର ସ୍ପାଉଟ୍ସ୍', ଯାହାକି ସାଧାରଣତଃ ସ୍ଥିର ପାଗରେ ସୃଷ୍ଟି ହୁଏ ଏବଂ ଏହାର ତୀବ୍ରତା କମ୍ ଥାଏ | ଅନ୍ୟଟି ହେଉଛି ‘ଟୋର୍ଣ୍ଣାଡିକ୍ ୱାଟର ସ୍ପ୍ରାଉଟ୍ସ'। ଏହା ପ୍ରକୃତରେ ଜଳ ଭାଗରେ ସୃଷ୍ଟି ହେଉଥିବା ଟର୍ଣ୍ଣଡୋ, ଯାହା ପ୍ରବଳ ବଜ୍ରପାତ ଓ ବର୍ଷା ସମୟରେ ଦୃଶ୍ୟମାନ ହୁଏ।

ତାପମାତ୍ରା ଓ ବାୟୁମଣ୍ଡଳର ଉପରିଭାଗର ତାପମାତ୍ରା ମଧ୍ୟରେ ଅତ୍ୟଧିକ ପାର୍ଥକ୍ୟ ରହିଲେ ଏହା ସୃଷ୍ଟି ହୋଇଥାଏ। ଯେତେବେଳେ ଉଷ୍ମ ଓ ଆର୍ଦ୍ର ବାୟୁ ଦ୍ରୁତ ଗତିରେ ଉପରକୁ ଉଠେ ଏବଂ ଉପରିଭାଗରେ ଥିବା ଥଣ୍ଡା ବାୟୁ ସହ ମିଶେ, ସେତେବେଳେ ବାୟୁମଣ୍ଡଳରେ ଅସ୍ଥିରତା ଦେଖାଦିଏ। ଏହା ଫଳରେ ବାୟୁ ଘୂର୍ଣ୍ଣନ କରିବାକୁ ଲାଗେ ଏବଂ ଏକ ସ୍ତମ୍ଭ ଆକାର ଧାରଣ କରେ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ‘ୱାଟର ସ୍ପାଉଟ୍’ ସଂଖ୍ୟା ବଢ଼ିବାରେ ଲାଗିଛି। ଗବେଷଣା ଅନୁସାରେ, ସମୁଦ୍ରର ତାପମାତ୍ରା ବଢ଼ିବା ଯୋଗୁଁ ଏହି ସବୁ ଘଟଣାର ତୀବ୍ରତା ମଧ୍ୟ ବଢ଼ିବାର ସମ୍ଭାବନା ଅଛି। କିଛି ବର୍ଷ ହେବ ପୁରୀ, ପାରାଦୀପ ଓ ଚାନ୍ଦିପୁର ଉପକୂଳରେ ଏହାର ବାରମ୍ବାର ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି।