କାଠମାଣ୍ଡୁ: ନେପାଳ ବନ୍ୟା ପାଇଁ ବଲିଉଡ ଅଭିନେତ୍ରୀ ମନିଷା କୋଇରାଲା ବିଶ୍ୱ ତାପନ (ଗ୍ଲୋବାଲ ୱାର୍ମିଂ)କୁ ଦାୟି କରିଛନ୍ତି। ଉପୁଜିଥିବା ପରିସ୍ଥିତିରେ ମନିଷା ପଡୋଶୀ ଚୀନ, ଭାରତ ଓ ନେପାଳ ମିଳିତ କିଛି ଉପାୟ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ୩୦ ଅଗଷ୍ଟ ରବିବାର ଆଧ୍ୟାତ୍ମିକ ଗୁରୁ ସଦଗୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ‘ଇନ ସୋଲିଡାରିଟି ୱିଥ୍ ନେପାଲ’ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଏହି ନିବେଦନ କରିଛନ୍ତି। କହିଛନ୍ତି ଯେ ଏହି କାରଣ ଉପରେ ଯଦି ଏବେଠୁ ଧ୍ୟାନ ଦିଆ ନଯାଏ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବ।

ଅଭିନେତ୍ରୀ କହିଛନ୍ତି ଯେ ଆମେ ଗ୍ଲୋବାଲ ୱାର୍ମିଂର ସବୁଠୁ ଖରାପ ପ୍ରଭାବର ସମ୍ମୁଖୀନ ହୋଇଛୁ। ଏଥିରେ ଆମର ଆଗାମୀ ପଦକ୍ଷେପ କଣ ହେବା ଦରକାର? ମୁଁ ନିବେଦନ କରୁଛି ମାନବିକତା ଦୃଷ୍ଟିରୁ ଆମର ମହାନ ପଡ଼ୋଶୀ ଚୀନ୍ ଓ ଭାରତ କିପରି ହେଉ ନେପାଳ ସହ ସାଙ୍ଗରେ ଆସି ମିଳିତ କିଛି କରନ୍ତୁ। ସେ କହିଛନ୍ତି ଯେ ଆମେ ଜଣେ ଜଣକ ସହିତ ଅତ୍ୟନ୍ତ ଘନିଷ୍ଠ ଭାବେ ଜଡିତ, ଏଣୁ ଏପରି ଘଟଣାରୁ କିପରି ରକ୍ଷା ମିଳିବ ସେ ନେଇ ମିଳିତ ଯୋଜନା ହାତକୁ ନିଅନ୍ତୁ। ସେ କହିଛନ୍ତି ଯେ ମୁଁ ପ୍ରାର୍ଥନା କରୁଛି ଏହି ବିନାଶକାରୀ କ୍ଷଣକୁ ଅନୁଭବ କରି ଆମେ ମାନବିକତା ପ୍ରଦର୍ଶନ କରିବା ଦରକାର। ଏଥିରେ ଆମେ ଜଣେ ଜଣକୁ ଏପରି ସହାୟତା କରିବା ଯେପରି ଆମେ ଆମ ନିଜ ଲୋକଙ୍କୁ ସହାୟତା କରୁଛେ।

ବଲିଉଡ ଅଭିନେତ୍ରୀ ଲୋକଙ୍କୁ ବନ୍ୟା ପୀଡ଼ିତଙ୍କ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ସେ ଏଥି ପାଇଁ ଅନ୍ତର୍ଜାତୀୟ ସମୂଦାୟକୁ ମଧ୍ୟ ହାତ ବଢାନ୍ତୁ ବୋଲି ନିବେଦନ କରିଛନ୍ତି। ଏକ ଦେଶ ଭାବେ ଲୋକେ ଆମ ଦେଶକୁ ଆସନ୍ତୁ ଏହା ଆମର ଆବଶ୍ୟକତା। ମୁଁ ଚାହୁଁନି ଆମ ଦେଶର ପରିଚୟ ପ୍ରାକୃତିକ ପ୍ରକୋପ ପୀଡ଼ିତ ଦେଶ ଭାବେ ହେଉ। ଆମେ ଚାହୁଁଛୁ ସମସ୍ତେ ଆମ ଦେଶକୁ ଆସନ୍ତୁ ଓ ବୁଲାବୁଲି କରନ୍ତୁ। ନେପାଳ ଓ ତୀବ୍ବତ ବର୍ଡର ବିପର୍ଯ୍ୟୟରେ ପ୍ରଭାବିତ ହୋଇଛି। ହେଲେ ଏହି କ୍ଷେତ୍ର ଦେଶର ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଓ ପର୍ଯ୍ୟଟନ ଆମ ପାଇଁ ନିଶ୍ୱାସ ପ୍ରଶ୍ୱାସ ଭଳି।

ମନିଷାଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ନେପାଳ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବନ୍ୟା ଯୋଗୁ ନେପାଳରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ରବିବାର ୭୮୧କୁ ପହଞ୍ଚିଛି। ଉଦ୍ଧାରକାରୀ ଦଳ ଏବେବି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅଧିକାରୀଙ୍କ ଅନୁସାରେ ୨,୫୦୦ ଲୋକେ ଏବେବି ନିଖୋଜ ଅଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ଅଗଷ୍ଟ ୨୬ ତାରିଖ ସକାଳେ ହୋଇଥିଲା। ଏହି ବନ୍ୟା ଉତ୍ତର ଓ ମଧ୍ୟ ନେପାଳରେ ବିନାଶ ରଚିଛି।