LIVE TV

ମାଲାୟାଲମ ସୁପରଷ୍ଟାର ମୋହନଲାଲ୍‌ଙ୍କୁ ମିଳିବ ଦାଦାସାହେବ ଫାଲକେ ସମ୍ମାନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

NEWS7
MOHANLAL

ନୂଆଦିଲ୍ଲୀ: ମାଲାୟାଲମ ସୁପରଷ୍ଟାର ମୋହନଲାଲ ୨୦୨୩ ପାଇଁ ପାଇବେ ଦାଦାସାହେବ ଫାଲକେ ସମ୍ମାନ । ସିନେମା ଜଗତରେ ତାଙ୍କର ଦୀର୍ଘ ଓ ସଫଳ କ୍ୟାରିୟର ପାଇଁ ଭାରତ ସରକାର ଦାଦାସାହେବ ଫାଲକେ ଆୱାର୍ଡ ୨୦୨୩ ପ୍ରଦାନ କରିବେ । ଶନିବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ଆୱାର୍ଡ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ । ସିନେମା ଉଦ୍ୟୋଗକୁ ବିଶେଷ ଯୋଗଦାନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହା ପ୍ରଦାନ କରାଯାଇଥାଏ । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ କରିଆସୁଥିବା ମୋହନଲାଲ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ସିନେ ପ୍ରେମୀଙ୍କ ମନରେ ଅଲିଭା ଛାପ ଛାଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଏକ୍ସରେ ପୋଷ୍ଟ କରି ମୋହନଲାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ଏକ୍ସରେ ଲେଖିଛି, "ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ କ୍ରମେ, ଭାରତ ସରକାର ଶ୍ରୀ ମୋହନଲାଲଙ୍କୁ ୨୦୨୩ ମସିହାର ପ୍ରତିଷ୍ଠିତ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିବେ । ମୋହନଲାଲଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ଅନେକ ପିଢ଼ିକୁ ଅନୁପ୍ରାଣିତ କରେ ! ଭାରତୀୟ ସିନେମାରେ ତାଙ୍କର ସ୍ମରଣୀୟ ଅବଦାନ ପାଇଁ ଏହି ପ୍ରସିଦ୍ଧ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ସମ୍ମାନିତ କରାଯାଉଛି । ତାଙ୍କର ଅତୁଳନୀୟ, ବହୁମୁଖୀ ପ୍ରତିଭା ଏବଂ କଠିନ ପରିଶ୍ରମ ଭାରତୀୟ ଚଳଚ୍ଚିତ୍ର ଇତିହାସରେ ଏକ ସ୍ୱର୍ଣ୍ଣିମ ମାନଦଣ୍ଡ ସ୍ଥାପନ କରିଛି । ଏହି ପୁରସ୍କାର ୨୩ ସେପ୍ଟେମ୍ବର ୨୦୨୫ରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ ।"​​​​​​​

ଭାରତୀୟ ସିନେମା ଜଗତର ପିତା ଭାବେ ପରିଚିତ ଦାଦାସାହେବଙ୍କ ନାମରେ ଏହି ପୁରସ୍କାର ୧୯୬୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ୧୯୧୩ ମସିହାରେ ଦାଦା ସାହେବ ଦେଶର ପ୍ରଥମ ଫିଚର ଫିଲ୍ମ ରାଜା ହରିଶ୍ଚନ୍ଦ୍ରର ନିର୍ଦ୍ଦେଶନା ଦେଇଥିଲେ। ପ୍ରତିବର୍ଷ ଜାତୀୟ ସିନେମା ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ​​​​​​​​​​​​​​

​​​​​​​୧୯୬୦ ମେ ୨୧ରେ ପଠାଣମଥିଟ୍ଟା ଜିଲ୍ଲାର ଇଲାନ୍ଥୁରରେ ମୋହନଲାଲ ଜନ୍ମଗ୍ରହଣ କରିଥିଲେ । ପୂର୍ବତନ ପ୍ରଶାସକ ବିଶ୍ୱନାଥନ ନାୟାର ଏବଂ ଶାନ୍ତାକୁମାରୀଙ୍କ ଦ୍ୱିତୀୟ ପୁତ୍ର । ସେ ଦୁଇଥର ଶ୍ରେଷ୍ଠ ଅଭିନେତା ସମେତ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି । ୨୦୦୧ ମସିହାରେ, ତାଙ୍କୁ କେନ୍ଦ୍ର ସରକାର ଦ୍ୱାରା ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ଏବଂ ୨୦୧୯ରେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ୨୦୦୯ ମସିହାରେ ତାଙ୍କୁ ଭାରତୀୟ କ୍ଷେତ୍ରୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ମଧ୍ୟ ପ୍ରଦାନ କରାଯାଇଥିଲା, ଯାହା କୌଣସି ଅଭିନେତାଙ୍କ ପାଇଁ ପ୍ରଥମ ଥିଲା । ସିନେମା ଏବଂ ସଂସ୍କୃତ ନାଟକ ଜଗତରେ ଅବଦାନ ପାଇଁ ମୋହନଲାଲଙ୍କୁ କାଲାଡି ଶ୍ରୀ ଶଙ୍କରାଚାର୍ଯ୍ୟ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀରେ ମଧ୍ୟ ସମ୍ମାନିତ କରାଯାଇଛି ।

​​​​​​​

​​​​​​​​​​​​​​