ଭୁବନେଶ୍ୱର/ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭୁବନେଶ୍ୱର ଜୟଦେବବିହାର ଅଞ୍ଚଳର ଗୋଟିଏ ପରିବାରର ୭ ଜଣଙ୍କ ସମେତ ଚାଳକଙ୍କୁ ମିଶାଇ ମୋଟ ୮ ଜଣଙ୍କର ପ୍ରାଣହାନି ଘଟିଛି। ଏହି ହୃଦୟବିଦାରକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଦେବଦର୍ଶନ ପାଇଁ ଯାଇଥିଲେ, ରାସ୍ତାରେ ଛକିଥିଲା ଯମ

ସୂଚନା ଅନୁଯାୟୀ, ଭୁବନେଶ୍ୱର ଜୟଦେବବିହାର ଅଞ୍ଚଳସ୍ଥିତ 'ବନା ଢାବା'ର ମାଲିକ ବନମାଳୀ ବେହେରାଙ୍କ ପରିବାର ଲୋକ ମଧ୍ୟପ୍ରଦେଶର ପ୍ରସିଦ୍ଧ ମା' ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ନଲଖେଡ଼ା ଥାନା ଅନ୍ତର୍ଗତ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା କଡ଼ରେ ଥିବା ଏକ କେନାଲରେ ବନ୍ୟା ଜଳର ପ୍ରବଳ ସ୍ରୋତ ବହିଥିଲା। ଭୋର ସମୟରେ ପାଣିର ପ୍ରବଳ ବେଗ ଯୋଗୁଁ ନିୟନ୍ତ୍ରଣ ହରାଇ ସେମାନେ ଯାଉଥିବା କାର୍ଟି ନାଳ ଭିତରକୁ ଖସିପଡ଼ି ଭାସିଯାଇଥିଲା।

ଏହି ଦୁର୍ଘଟଣାରେ ବନମାଳୀ ବେହେରାଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ବେହେରା, ଝିଅ ରୀତାରାଣୀ ବେହେରା, ଜ୍ୱାଈଁ ଜ୍ଞାନେନ୍ଦ୍ର ବେହେରା, ନାତି କୃଷ୍ଣରାଜବୀର, ନାତୁଣୀ ସାୟରା ସ୍ୱୟଂପ୍ରଭା, ଏବଂ ଅନ୍ୟ ଜଣେ ନାତି ସାଇ ସ୍ୱସ୍ତିକଙ୍କ ମୃତ୍ୟୁ ଘଟିଛି। ଏହାସହ ଗାଡ଼ି ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଖବର ପାଇ ନଲଖେଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱତନ୍ତ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ସମସ୍ତ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ପ୍ରଧାନମନ୍ତ୍ରୀଙ୍କ ସମବେଦନା ଓ ଅନୁକମ୍ପାମୂଳକ ସହାୟତା

ଏହି ଦୁଃଖଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ (PMNRF) ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି।