LIVE TV

ଶୁକ୍ରବାର ଅବପାତ ରୂପ ନେବ ଲଘୁଚାପ, ୧୮ ଜିଲ୍ଲାକୁ ସତର୍କ କରାଇଲେ ଏସ୍‌ଆରସି

NEWS7
rain

ଭୁବନେଶ୍ୱର ୨୬/୦୯: ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇସାରିଛି । ଶୁକ୍ରବାରକୁ ଏହା ଘନୀଭୂତ  ହୋଇ ଅବପାତ ରୂପ ନେଇପାରେ । ମୁହାଁଇବ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର  ଉପକୂଳ ଅତିକ୍ରମ କରିବ । ପ୍ରବଳ ବର୍ଷିବ ଦକ୍ଷିଣ  ଓଡ଼ିଶା ଏବଂ ଉପକୂଳରେ । ସମ୍ଭାବ୍ୟ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ୧୮ଟି ଜିଲ୍ଲା ପ୍ରଶାସନକୁ  ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

ଅପରପକ୍ଷରେ ଆଉ ଗୋଟିଏ ଲଘୁଚାପ ହୋଇପାରେ  ଅକ୍ଟୋବର ପହିଲାବେଳକୁ, ଯାହାକି ଅବପାତ ରୂପ ନେବା  ନେଇ କିଛି ମଡେଲ୍‌ ଅନୁମାନ କରୁଛନ୍ତି । ଏହା ପ୍ରଭାବରେ ଦଶହରା ପାର୍ବଣ ଭିଜିବା ଆଶଙ୍କା ସୃଷ୍ଟି ହୋଇଛି । ଏପଟେ  କିନ୍ତୁ ଗତ ୨/୩ ଦିନର ବର୍ଷା ଯୋଗୁ ମହାନଦୀ ଜଳସ୍ତର  ଫୁଲୁଛି । ସନ୍ଧ୍ୟା ୬ଟାବେଳେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୭୮ ହଜାର ୯୨୬ କ୍ୟୁସେକ  ପାଣି ପ୍ରବେଶ କରୁଥିଲା । ୨୦ଟି ଗେଟ ଖୋଲାଯାଇଥିବାବେଳେ ସେକେଣ୍ଡ ପିଛା ୩ ଲକ୍ଷ ୬୧ ହଜାର  ୫୧୭ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା ।

ସନ୍ଧ୍ୟା ସୁଦ୍ଧା  ମୁଣ୍ଡୁଳିରେ ୨ ଲକ୍ଷ ୯ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିଲା । ଜଳ ସମ୍ପଦ ବିଭାଗର ଅନୁମାନ- ଶୁକ୍ରବାର  ସକାଳ ୯ଟାବେଳକୁ ମୁଣ୍ଡୁଳିରେ ୬ ଲକ୍ଷରୁ ସାଢ଼େ ୬  ଲକ୍ଷ ଘନଫୁଟ ପର୍ଯ୍ୟନ୍ତ ପାଣି ପ୍ରବାହିତ ହୋଇପାରେ ।  ମହାନଦୀ ଅବବାହିକାରେ ବର୍ଷା କମିଥିବାରୁ ବନ୍ୟା ଆଶଙ୍କା  ବର୍ତ୍ତମାନ ନାହିଁ । ତଥାପି ମହାନଦୀ ଓ ଏହାର ଶାଖା ନଦୀ  କାଠଯୋଡ଼ି, କୁଆଖାଇ, କୁଶଭଦ୍ରା ଆଦିରେ ଜଳସ୍ତର  ବଢ଼ିପାରେ । ତେଣୁ ତଳି ଅଞ୍ଚଳ ଉପରେ ସତର୍କ ନଜର  ରଖାଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଉତ୍ତର ଓ  କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଅବପାତ ରୂପ ନେବ । ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ  ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ  ଓ ମାଲକାନଗିରିରେ ଅତି ପ୍ରବଳ ଓ ଅନ୍ୟାନ୍ୟ ଦକ୍ଷିଣ  ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ ।

ଏସଆରସି ଭିଡିଓ କନଫରେନ୍ସିଂ ଯୋଗେ  ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି,  କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ,  ବାଲେଶ୍ୱର, ନୂଆପଡ଼ା ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ସ୍ଥିତି  ମୁକାବିଲା ଓ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।  ବୈଠକରେ ଜଳ ସମ୍ପଦ ବିଭାଗ, ପାଣିପାଗ ବିଭାଗ,  ଓସଡମା ଅଧିକାରୀ ଉପସ୍ଥିତ ଥିଲେ । କୋରାପୁଟ,  ମାଲକାନଗିରି ସମେତ ଅନ୍ୟ ଜିଲ୍ଲାର ଜିଲ୍ଲାପାଳ  କର୍ମକ୍ଷେତ୍ରରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଆବଶ୍ୟକ ସ୍ଥଳେ ଅଗ୍ନିଶମ ସେବା, ଓଡ୍ରାଫ ନିୟୋଜିତ  କରିବାକୁ କୁହାଯାଇଛି ।  

ପାଣିପାଗ ବିଭାଗ କହିଛି, ଶୁକ୍ରବାର ରାଜ୍ୟର ଅଧିକାଂଶ  ସ୍ଥାନରେ ବର୍ଷା ହେବ । କୋରାପୁଟ, ମାଲକାନଗିରିରେ  ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ରାୟଗଡ଼ା,  କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ପୁରୀ,  ଖୋର୍ଦ୍ଧା, କନ୍ଧମାଳ, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜରେ  ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ଅନେକ ସ୍ଥାନରେ  ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ ।  ୨୭ରେ ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି ।  ୨୮, ୨୯, ୩୦ ଓ ଅକ୍ଟୋବର ପହିଲାରେ ଅନେକ ସ୍ଥାନରେ  ବର୍ଷା ସମ୍ଭାବନା ଥିବାବେଳେ ବଡ଼ ବର୍ଷା ନେଇ କୌଣସି  ସତର୍କ ସୂଚନା ଜାରି କରାଯାଇନି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନର ଲଘୁଚାପ  ପ୍ରଭାବରେ ଗୁରୁବାର ରାତି ଓ ଶୁକ୍ରବାର ଦକ୍ଷିଣ ଓଡ଼ିଶାରେ  ଅଧିକ ବର୍ଷା ହୋଇପାରେ । ମାତ୍ର ଶନିବାରଠାରୁ ବର୍ଷା  ପ୍ରକୋପ କମିବ । ଯଦିଓ ପ୍ରତିଦିନ କିଛି କିଛି ସ୍ଥାନରେ  ଅସରାଏ ଲେଖାଏଁ ବର୍ଷା ହୋଇପାରେ, କିନ୍ତୁ ଲଗାଣ  ବର୍ଷା ସମ୍ଭାବନା କମ୍‌ । ଦୁର୍ଗାପୂଜାରେ ନବମୀ ପର୍ଯ୍ୟନ୍ତ  ପାଗ ପ୍ରାୟତଃ ଭଲ ରହିପାରେ । ମାତ୍ର ୧ ତାରିଖବେଳକୁ  ଘୂର୍ଣ୍ଣିବଳୟ ଓ ୨ରେ ଲଘୁଚାପ ଉତ୍ତର ଓଡ଼ିଶା ଉପକୂଳରେ  ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ନବମୀ ରାତି ଓ  ଦଶମୀ (୨ ତାରିଖ)ରେ ଉତ୍ତର ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ଅଛି । ଜଗତସିଂହପୁରରୁ ବାଲେଶ୍ୱର  ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଧିକ । କଟକ, ଭୁବନେଶ୍ୱରରେ  କିଛି ବର୍ଷା ହୋଇପାରେ । ୩ ପରେ ବର୍ଷା କମିପାରେ ।  

ଆସନ୍ତା ୧୫ ଦିନ ପାଇଁ ପାଣିପାଗ ବିଭାଗ ବିସ୍ତାରିତ ପୂର୍ବାନୁମାନ ଜାରି କରିଛି । ଏହି ଆକଳନ ଅନୁସାରେ ପ୍ରଥମ  ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଅକ୍ଟୋବର  ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର  ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।