ଭୁବନେଶ୍ବର ୧୧ଆସୁଛି ବାତ୍ୟା । କିନ୍ତୁ ସ୍ପଷ୍ଟ ଚିତ୍ର ୨୪ ବା ୨୫ ତାରିଖ ପରେ ଜଣାପଡିବ । ଏହା କେଉଁ ଦିଗକୁ ଯିବ, ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ସେସବୁ ସ୍ପଷ୍ଟ ହେବ ବୋଲି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ କହିଛନ୍ତି । ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଲଘୁଚାପର ରୂପ ନେଇଛି । ୪୮ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ ନେବ । ତେବେ ଅବପାତ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ଓଡ଼ିଶାରେ ଏହା ଲ୍ୟାଣ୍ଡଫଲ୍ ହେବ କି ନାହିଁ ଏହାର ପ୍ରଭାବ କ’ଣ ରହିବ କେତେ ତୀବ୍ର ହେବ ବର୍ତ୍ତମାନ ଆକଳନ ହୋଇପାରୁନି । ଦୁଇ ଦିନ ପରେ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୨୭ରୁ ୨୮ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଏହାପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ୧୦୦ ବର୍ଷର ରେକର୍ଡ କହୁଛି ନଭେମ୍ବର ୧୫ ପରେ କୌଣସି ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେଲେ ତାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବର୍ଷା ଛଡ଼ା ଆଉ ବାତ୍ୟାର ଅନ୍ୟ ଭୟ ନଥିବା ସେ କହିଛନ୍ତି । ତେଣୁ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ଏହା ପାଇଁ ଆହୁରି ୪୮ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ବୋଲି ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ,ବଙ୍ଗୋପସାଗରରେସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ରେ ଲଘୁଚାପଟି ଅବପାତର ରୂପ ନେବାର ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।