ଗଣତନ୍ତ୍ରର ପର୍ବ ! କେବଳ ଜଣେ ମତଦାତାଙ୍କ ପାଇଁ ଗିର ଜଙ୍ଗଲରେ ପହଞ୍ଚିଲେ ୧୦ ଜଣିଆ ଟିମ୍

Published By : Prameya-News7 Bureau | May 07, 2024 IST

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନକୁ ନେଇ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୯୩ ଆସନରେ ଭୋଟିଂ ହୋଇଛି । ଗୁଜରାଟର ୨୬ରୁ ୨୫ ଆସନରେ ଭୋଟ୍ ହୋଇଛି । ଗୋଟିଏ ସିଟରେ ନିର୍ବିରୋଧ ନିଷ୍ପତ୍ତି ହୋଇଥିବାରୁ ସେଠାରେ ମତଦାନ ହୋଇ ନାହିଁ । କୌଣସି ଭୋଟର ଯେପରି ନିଜ ମତାଧିକାରରୁ ବଞ୍ଚିତ ହେବେନି ସେଥିପାଇଁ ନିର୍ବାଚନ ଆୟୋଗ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁଜାରଟର ଗିର୍ ଜଙ୍ଗଲର ଦୁର୍ଗମ ଅଞ୍ଚଳରେ ଗୋଟିଏ ମତଦାନ କେନ୍ଦ୍ରକୁ କେବଳ ଜଣେ ଭୋଟରଙ୍କ ପାଇଁ ସ୍ଥାପନ କରାଯାଇଥିଲା । ଏଠାରେ ମହନ୍ତ ହରିଦାସ ନାମକ ଜଣେ ପୂଜାରୀ ମତଦାନ କରିଛନ୍ତି ।

ଗୋଟିଏ ଗୋଟିଏ ଭୋଟର ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାକୁ ଦେଖି ମତଦାତାଙ୍କ ପାଇଁ ୧୦ ଜଣିଆ ଟିମ୍ ଏଠାରେ ପହଞ୍ଚିଥିଲା । ଏହି ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ପୋଲିଂ କର୍ମଚାରୀଙ୍କୁ ୨ ଦିନ ସମୟ ଲାଗିଥିଲା । ଜଙ୍ଗଲ ରାସ୍ତାରେ ସେମାନଙ୍କୁ ବସରେ ଯିବାକୁ ପଡ଼ିଥିଲା । ଗେରୁଆ ବସ୍ତ୍ର ପିନ୍ଧି ଏବଂ ଚନ୍ଦନ ଟିପା ଲଗାଇଥିବା ମତଦାତା ପ୍ରଥମାର୍ଦ୍ଧରେ ହିଁ ଭୋଟ ଦେବା ପାଇଁ ପହଞ୍ଚିଥିଲେ । ତେବେ ନିୟମ ଅନୁସାରେ ବୁଥକୁ ସଂଧ୍ୟା ଯାଏ ଖୋଲା ରଖାଯାଇଥିଲା । ଏହିପରି ଭାବେ ସୋମନାଥ ଜିଲ୍ଲାର ଉନା ବିଧାନସଭା କ୍ଷେତ୍ରର ବାନେଜ ବୁଥ୍ ନମ୍ୱର ୩ରେ ୧୦୦ ପ୍ରତିଶତ ମତଦାନ ହୋଇଛି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.