ଦ୍ବିତୀୟ ପର୍ଯ୍ୟାୟରେ ୨୪ ହେଭିଓ୍ବେଟ୍ ; ରାହୁଲ, ଥରୁର, ହେମା, ଅରୁଣ ଗୋବିଲଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଜାରି ରହିଛି । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୮୮ଟି ଆସନରେ ୧୨୧୦ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ପ୍ରାୟ ୧୬ କୋଟିରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ଦ୍ବିତୀୟ ପର୍ଯ୍ୟାୟରେ ବହୁ ହେଭିଓ୍ବେଟ୍ ନେତାଙ୍କ ଭାଗ୍ୟ ବାଜିରେ ଲାଗିଛି । ଏଥି ମଧ୍ୟରୁ କେରଳର ଓ୍ବାଏନାଡ୍ ଲୋକସଭା ସିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ରହିଛନ୍ତି । ସେହିପରି ୬ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ଲୋକସଭା ଅଧ୍ୟକ୍ଷ ଏବଂ ବହୁ ପୂର୍ବତନ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ଚାଲିଛି ।

ରାହୁଲ ଗାନ୍ଧି: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର ଓ୍ବାଏନାଡ୍ ଲୋକସଭାରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧି ଏହି ସିଟରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ । ତେବେ ଚଳିତ ନିର୍ବାଚନରେ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ କେ.କେ ସୁରେନ୍ଦ୍ରନ ଏବଂ ଭାକପା ପ୍ରାର୍ଥୀ ଏନ ରାଜା ରହିଛନ୍ତି ।  ପୂର୍ବ ନିର୍ବାଚନରେ ୮୦.୩୭ ପ୍ରତିଶତ ଭୋଟ୍ ପଡ଼ିଥିଲା । 

ରାଜୀବ ଚନ୍ଦ୍ରଶଖର ବନାମ ଶଶି ଥରୁର: କେରଳର ଥିରୁଅନ୍ତପୁରମ୍ ଲୋକସଭା ଆସନରେ ଏଥର କଡ଼ା ମୁକାବିଲା ଚାଲିଛି । କଂଗ୍ରେସ ଏଠାରେ ସାଂସଦ ଶଶି ଥରୁରଙ୍କୁ ରିପିଟ୍ କରିଛି । ସେପଟେ ଭାରତୀୟ ଜନତା ପାର୍ଟି ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରିଛି । ରାଜୀବ ଚନ୍ଦ୍ରଶେଖର ରାଜ୍ୟସଭା ସାଂସଦ ରହିଥିଲେ । ଏବେ ସେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପଟେ ଶାସକ ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପତ୍ରିୟନ ରବିନ୍ଦ୍ରନଙ୍କୁ ଥିରୁଅନ୍ତପୁରମ୍ ସିଟ୍ ଛିଡ଼ା କରିଛି । ୨୦୧୯ ନିର୍ବାଚନରେ କଂଗ୍ରେସ ସାଂସଦ ଶଶି ଥରୁର୍ ବିଜୟୀ ହୋଇଥିଲେ । ପୂର୍ବ ନିର୍ବାଚନରେ ଏହି ଆସନରୁ ୭୩.୭୪ ପ୍ରତିଶତ ଭୋଟ୍ ପଡ଼ିଥିଲା । 

ହେମା ମାଲିନୀ: ଉତ୍ତର ପ୍ରଦେଶର ଚର୍ଚ୍ଚିତ୍ ଲୋକସଭା ସିଟ୍ ଶୁମାର ମଥୁରାରୁ ବଲିଉଡ୍ ଅଭିନେତ୍ରୀ ହେମା ମାଲିନୀ ନିର୍ବାଚନ ଲଢ଼ୁଛନ୍ତି । ସେ ତୃତୀୟ ଥର ପାଇଁ ବିଜେପି ତାଙ୍କୁ ଟିକେଟ ଦେଇଛି । ଏହି ଆସନରୁ ସେ ବର୍ତ୍ତମାନ ସାଂସଦ ରହିଛନ୍ତି । ତାଙ୍କ ସାମ୍ନାରେ କଂଗ୍ରେସ ମୁକେଶ ଧନଗର ଏବଂ ବିଏସପି ସୁରେଶ ସିଂହଙ୍କୁ ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଏହି ସିଟ୍ ମୋଟ୍ ୬୧.୦୮ ପ୍ରତିଶତ ମତଦାନ ହୋଇଥିଲା ।

ଅରୁଣ ଗୋଭିଲ୍: ଉତ୍ତର ପ୍ରଦେଶର ଆଉ ଏକ ହଟ୍ ସିଟ୍ ହେଉଛି ମିରଟ୍ । ଯେଉଁଥିରେ ଏଥର ରାମାୟାଣ ସିରିଏଲରେ ରାମଚନ୍ଦ୍ରଙ୍କ ଅଭିନୟ କରିଥିବା ଅରୁଣ ଗୋବିଲ୍ ନିଜର ଭାଗ୍ୟ ପରୀକ୍ଷା କରିବେ । ସେ ପ୍ରଚାର ମୈଦନରେ ପ୍ରଭୁରାମଙ୍କ ଫଟୋ ଧରି ଜୋରଦାର ପ୍ରଚାର କରିଥିଲେ । ତାଙ୍କ ପାଇଁ ସୀତା ରୋଲ୍ କରିଥିଲା ଦୀପିକା ଓ ଲକ୍ଷ୍ମଣ ରୋଲ୍ କରିଥିବା ସୁନିଲ୍ ଲହରୀ  ଭୋଟ୍ ମଗିଥିଲେ । ୨୦୧୯ରେ ମିରଟ ସିଟରେ ବିଜେପିକୁ ବିଜୟ ମିଳିଥିଲା । ମାତ୍ର ଭୋଟ୍ ହାର ପ୍ରାର୍ଥକ୍ୟ କମ୍ ଥିଲା । ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଅଗ୍ରଓ୍ବାଲ ମାତ୍ର ୪, ୭୨୯ ଖଣ୍ଡ ଭୋଟ୍ ଜିତିଥିଲେ । 

କେ.ସି ବେଣୁ ଗୋପାଳ; ଦ୍ବିତୀୟ ପର୍ଯ୍ୟାୟରେ କେ.ସି ବେଣୁଗୋପାଳ କେରଳର ଉଲପ୍ପୁଝା ଲୋକସଭା ସିଟରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ଏଆଇସିସି ମହାସଚିବ ଏବଂ ରାହୁଲ ଗାନ୍ଧି ପାଖାପାଖି ସିଟରୁ ନିର୍ବାଚନ ଲଢ଼ୁଛନ୍ତି । ଉଲପ୍ପୁଝା ଏକମାତ୍ର ସିଟ୍ ଯାହା ୨୦୧୯ ନିର୍ବାଚନରେ ଶାସକ ଦଳ ପାଖରେ ରହିଥିଲା । କଂଗ୍ରେସ ନେତ୍ବରେ ନିର୍ବାଚନ ଲଢ଼ୁଥିବା ୟୁଡିପିଏଫ୍ ରାଜ୍ୟର ୨୦ ଲୋକସଭା ଆସନରୁ ୧୯ଟି ସିଟ୍ ଅକ୍ତିଆର କରିଥିଲା । ଚଳିତ ନିର୍ବାଚନରେ ବେଣୁ ଗୋପାଳଙ୍କୁ ସାମ୍ନା କରୁଛନ୍ତି ମକପାର ଏଏମ ଆରିଫ୍ ଏବଂ ବିଜେପିର ଶୋଭା ସୁରେନ୍ଦ୍ରନ ।  

ଓମ୍ ବିର୍ଲା: ଦ୍ବିତୀୟ ପର୍ଯ୍ୟାୟରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ରାଜସ୍ଥାନର କୋଟା ଆସନରୁ ସେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ୨୦୨୪ ମହାସଂଗ୍ରାମରେ ଓମ୍ ବିର୍ଲାଙ୍କ ବିରୋଧରେ ଛିଡ଼ା ହୋଇଛନ୍ତି କଂଗ୍ରେସର ପ୍ରହ୍ଲାଦ ଗୁଞ୍ଜଲ । ଗତ ନିର୍ବାଚନରେ ଏହି ଆସନରେ ମୋଟ୍ ୭୦.୨୨ ପ୍ରତିଶତ ମତଦାନ ହୋଇଥିଲା । 

ଭୁପେଶ୍ ବଘେଲ୍: ଦ୍ବିତୀୟ ପର୍ଯ୍ୟାୟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଭାଗ୍ୟ ବାଜିରେ ଲାଗିଛି । ବଘେଲ ରାଜନାନ୍ଦଗାଁ ଲୋକସଭା ଆସନରୁ ନିର୍ବାଚନକୁ ଓହ୍ଲାଇଛନ୍ତି । ୨୦୧୯ ନିର୍ବାଚନରେ ଏହି ସିଟରେ ବିଜେପି ପ୍ରାର୍ଥୀ ସନ୍ତୋଷ ପାଣ୍ଡେ ବିଜୟୀ ହୋଇଥିଲେ । ଏଥର ବି ବିଜେପି ତାଙ୍କ ଉପରେ ଭରସା କରିଛି ।

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.