ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ଚିରାଗ ପାସଓ୍ବାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ) । ଏନେଇ ରବିବାର ଘୋଷଣା କରିଛନ୍ତି ଦଳ ମୁଖ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ବାନ । 

 

ଦଳୀୟ ସଂଗଠନର ନିଷ୍ପତ୍ତି ଉପରେ ଗୁରୁତ୍ୱ
ଚିରାଗ ପାସୱାନ କହିଛନ୍ତି ଯେ, ଉତ୍ତର ପ୍ରଦେଶରେ କେଉଁ ଦଳ ସହ ମେଣ୍ଟ କରାଯିବ, ଆସନ ବୁଝାମଣା କିପରି ହେବ ଏବଂ ଦଳ କେତୋଟି ସିଟ୍‌ରେ ନିର୍ବାଚନ ଲଢ଼ିବ, ସେ ସମସ୍ତ ନିଷ୍ପତ୍ତି ଦଳର ରାଜ୍ୟ କମିଟି ବା ଉତ୍ତର ପ୍ରଦେଶ ୟୁନିଟ୍ ଗ୍ରହଣ କରିବ। ତେବେ ରାଜ୍ୟ କମିଟି ପକ୍ଷରୁ ନିଆଯିବାକୁ ଥିବା ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଦଳର କେନ୍ଦ୍ରୀୟ ସଂସଦୀୟ ବୋର୍ଡର ଅନୁମୋଦନ ଆବଶ୍ୟକ ହେବ।

ନିଜର ଆଗାମୀ ରଣନୀତି ବିଷୟରେ ଚିରାଗ ପାସୱାନ କହିଛନ୍ତି ଯେ, ଆଗାମୀ ଦିନରେ ସାରା ଦେଶରେ ଦଳର ସମ୍ପ୍ରସାରଣ ହେବ । ଦଳକୁ ଅଧିକ ବ୍ୟାପକ କରିବା ସହ ସାରା ଭାରତରେ ସଂଗଠନକୁ ଅଧିକ ମଜଭୁତ ଏବଂ ଶକ୍ତିଶାଳୀ କରିବା ପାଇଁ ଏବେଠାରୁ କାମ ଚାଲିଛି। ଏହା ସହ ଦଳ ଚଳିତ ବର୍ଷ ଲକ୍ଷ୍ନୌରେ ଏହାର ପ୍ରତିଷ୍ଠାତା ଏବଂ ତାଙ୍କ ପିତା ରାମବିଳାସ ପାସୱାନଙ୍କ ଜନ୍ମବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଶନିବାର ଦିନ ଉତ୍ତର ପ୍ରଦେଶକୁ ପ୍ରଥମ ଦୁଇ ଦିନିଆ ସାଂଗଠନିକ ଗସ୍ତରେ ଲକ୍ଷ୍ନୌରେ ପହଞ୍ଚିଛନ୍ତି । ଦଳ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିଛି। ବିମାନବନ୍ଦରରେ ନବୀନଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଜ୍ୟ ସଭାପତି ପଙ୍କଜ ଚୌଧୁରୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଧରମପାଲ ସିଂହ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ, କେନ୍ଦ୍ର ରାଜ୍ୟମନ୍ତ୍ରୀ କମଲେଶ ପାସୱାନ, ରାଜ୍ୟ ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାମାନେ ସ୍ୱାଗତ କରିଥିଲେ।