LIVE TV

କୋହଲିଙ୍କ ପରି ରୋହିତଙ୍କ ଠାରୁ ଛଡ଼ାଅ ନିଆଗଲା କ୍ୟାପ୍ଟେନ୍ସି, ଗିଲ୍‌ଙ୍କୁ କାହିଁକି ମିଳିଲା ଦାୟିତ୍ୱ ?

NEWS7
rohit

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ ପାଇଁ ବିସିସିଆଇ ଶନିବାର ଭାରତୀୟ ଟିମ୍ ଘୋଷଣା କରିଛି । ଶୁବମନ ଗିଲଙ୍କୁ ଟେଷ୍ଟ ପରେ ଦିନିକିଆ ଟିମର କ୍ୟାପ୍ଟେନ କରାଯାଇଛି । ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆ ଦଳର ସଦସ୍ୟ ଅଛନ୍ତି, କିନ୍ତୁ ରୋହିତ୍ ଶର୍ମାଙ୍କୁ କ୍ୟାପ୍ଟେନ୍ସି ପଦରୁ ହଟାଇ ଦିଆଯାଇଛି । ଅଜିତ୍ ଅଗରକର୍ ଏହା ପଛର କାରଣ ମଧ୍ୟ କହିଛନ୍ତି । ମୁଖ୍ୟ ଚୟନକର୍ତ୍ତା ଏହା ବି କହିଛନ୍ତି ଯେ ରୋହିତ୍ ଶର୍ମାଙ୍କୁ କ୍ୟାପ୍ଟେନ୍ସିରେ ପରିବର୍ତ୍ତନ ବାବଦରେ ସୂଚନା ଦିଆସରିଛି । ବିରାଟ କୋହଲିଙ୍କ ପରି ରୋହିତ୍ ଶର୍ମାଙ୍କୁ ବି ଭଲ ରେକର୍ଡ ଥିବା ସତ୍ତ୍ୱେ କ୍ୟାପ୍ଟେନ୍ସି ପଦ ହରାଇବାକୁ ପଡ଼ିଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇ ସ୍କ୍ୱାଡ୍ ଘୋଷଣା ହେବାର କିଛି ଦିନ ପୂର୍ବରୁ ରୋହିତ୍ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ରୋହିତ୍ ଶର୍ମା ସେହି ସମୟରେ ଟେଷ୍ଟ ଟିମର ଅଧିନାୟକ ଥିଲେ, କିନ୍ତୁ ଚୟନକର୍ତ୍ତା ଶୁବମନ ଗିଲଙ୍କୁ କ୍ୟାପ୍ଟେନ କରିବା ଇଚ୍ଛାକୁ ରୋହିତ ଶର୍ମାଙ୍କୁ ଜଣାଇ ଦେଇଥିଲେ । ଏହା ପୂର୍ବରୁ ୨୦୨୧ରେ ବିରାଟ କୋହଲିଙ୍କୁ ମଧ୍ୟ ସମାନ ସ୍ଥିତିର ସାମନା କରିବାକୁ ପଡ଼ିଥିଲା । କୋହଲି ଟି-୨୦ ଫର୍ମାଟରେ କ୍ୟାପ୍ଟେନ୍ସି ଛାଡ଼ିବା ପାଇଁ ମନସ୍ଥ କରିଥିଲେ, ଏହାପରେ ବିସିସିଆଇ ତାଙ୍କୁ ଦିନିକିଆ ଟିମର କ୍ୟାପ୍ଟେନ୍ସି ପଦରୁ ହଟାଇ ଦେଇଥିଲା । ପରେ ବିନା କୌଣସି କାରଣରେ ତାଙ୍କଠାରୁ ଟେଷ୍ଟ କ୍ୟାପ୍ଟେନ୍ସି ମଧ୍ୟ ଛଡାଇ ନିଆଯାଇଥିଲା ।   

ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ଗିଲଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ କରାଯାଇଛି । ଶ୍ରେୟସ ଆୟରଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦିନିକିଆ ଟିମର ଉପଅଧିନାୟକ କରାଯାଇଛି । ଚୟନ ସମିତି ମୁଖ୍ୟ ଅଜିତ ଅଗରକର ମଧ୍ୟ ରୋହିତ ଶର୍ମାଙ୍କୁ ପଦରୁ ହଟାଯିବା ନିଷ୍ପତ୍ତିର ସମର୍ଥନ କରିଛନ୍ତି । ତାଙ୍କ ମତରେ ତିନି ଫର୍ମାଟରେ ତିନି ଭିନ୍ନ ଭିନ୍ନ କ୍ୟାପ୍ଟେନ୍ସ ରଖିବା ଅସମ୍ଭବ ଅଟେ । ସେ କହିଛନ୍ତି ଯେ ୨୦୨୭ ବିଶ୍ୱକପକୁ ଦୃଷ୍ଟି ରଖି ଏହି ନିଷ୍ପତ୍ତି ନିଆଯାଇଛି । ସାମ୍ୱାଦିକ ସମ୍ମିଳନୀରେ ଅଗରକର୍ କହିଥିଲେ, ଆମେ ଅଧିକ ଦିନିକିଆ ମ୍ୟାଚ୍ ଖେଳୁ ନାହୁଁ ଓ ନୂଆ କ୍ୟାପ୍ଟେନକୁ ପର୍ଯ୍ୟାପ୍ତ ସମୟ ଦେବାକୁ ପଡ଼ିବ । ରୋହିତ ଶର୍ମାଙ୍କୁ କ୍ୟାପ୍ଟେନ ପରିବର୍ତ୍ତନ ବାବଦରେ ଜଣାଇ ଦିଆଯାଇଛି ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଦିନିକିଆ ଦଳ

ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଧ୍ରୁବ ଜୁରେଲ (ୱିକେଟ କିପର), ଯଶସ୍ୱୀ ଜୟସ୍ୱାଲ ।