News7 Logo

ପୁରୀ ସମୁଦ୍ରରେ ଅଘଟଣ : ଗଭୀର ସମୁଦ୍ରରୁ ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ

NEWS7
Puri

ପୁରୀ ୧୩।୯: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଯାଉଥିବା ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ । ସମୁଦ୍ର କୂଳ ସେକ୍ଟର ୯ରେ ଘଟିଛି ଏଭଳି ଘଟଣା । ଉଦ୍ଧାର ହୋଇଥିବା ୫ ଓଡ଼ିଆ ପର୍ଯ୍ୟଟକ ହେଉଛନ୍ତି ସମ୍ବଲପୁର ଅଞ୍ଚଳର ସୋହନ ଭୋଇ, ଓମ୍ ମୁଣ୍ଡା, ସୌରଭ ବେହେରା ଏବଂ କେନ୍ଦ୍ରାପଡ଼ା ଅଞ୍ଚଳର ଅଂଶୁମାନ ମହାନ୍ତି ଓ ଭଦ୍ରକର ଆଶିଷ କୁମାର ନାୟକ । ସମସ୍ତ ଓଡ଼ିଆ ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି‌ ।

ତେବେ ଶନିବାର ସମୁଦ୍ର କୂଳ ସେକ୍ଟର ୯ରେ ୫ ଜଣ ପର୍ଯ୍ୟଟକ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଏକ ବଡ଼ ଲହଡ଼ି ଆସିଥିଲା । ଫଳରେ ରିପ୍ କରେଣ୍ଟରେ ପଡ଼ି ପର୍ଯ୍ୟଟକ ମାନେ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ମାନେ ଦେବଦୂତ ସାଜି ସମୁଦ୍ର ଗର୍ଭରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଦିନକୁ ଦିନ ପୁରୀ ସମୁଦ୍ରରେ ଏଭଳି ଘଟଣା ଘଟି ଚାଲିଥିବା ବେଳେ ଏଦିଗରେ ପ୍ରଶାସନ ବିଶେଷ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।