LIVE TV

ଚଷମା ନିର୍ମାତା ଲେନ୍ସକାର୍ଟ କମ୍ପାନୀ IPOକୁ ମିଳିଲା SEBIଙ୍କ ମଞ୍ଜୁରୀ, ଜାଣନ୍ତୁ କେବେ ହେବ ଲିଷ୍ଟିଂ

NEWS7
Lenscart IPO

ମୁମ୍ବାଇ ୪।୧୦: ଚଷମା ନିର୍ମାତା କମ୍ପାନୀ ଲେନସକାର୍ଟର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ)କୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ଙ୍କ ମଞ୍ଜୁରି ମିଳିଯାଇଛି। ଏବେ କମ୍ପାନୀ ଆଇପିଓ ଲାଗି ଇସ୍ୟୁ ପ୍ରାଇସ୍ ଓ ଲଞ୍ଚିଂ ତାରିଖ ଘୋଷଣା କରିବ। ଅନୁମାନ କରାଯାଉଛି ନଭେମ୍ବର ମାସରେ କମ୍ପାନୀର ଲିଷ୍ଟିଂ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ମୋଟ ଆଇପିଓର ଆକାର ୭,୫୦୦-୮, ୦୦୦ କୋଟି ଟଙ୍କା (୮୫୦-୯୦୦ ମିଲିୟନ ଡଲାର) ହୋଇପାରେ।

ଲେନ୍ସକାର୍ଟର ଡ୍ରାଫ୍ଟ ରେଡ ହେରିଂ ପ୍ରସପେକ୍ଟସ (ଡିଆରଏଚପି) ଅନୁସାରେ ଆଇପିଓରେ ୨,୧୫୦ କୋଟି ଟଙ୍କାର ଇକ୍ୱିଟି ସେୟାରର ଏକ ନୂଆ ଇସ୍ୟୁ ସାମିଲ ହେବ। ଏହା ସହିତ ନିବେଶକ ଓ ପ୍ରମୋଟରଙ୍କ ଦ୍ୱାରା ୧୩.୨କୋଟି ସେୟାରର ବିକ୍ରି ଅଫର ମଧ୍ୟ ରହିବ। ଲେନ୍ସକାର୍ଟ ପ୍ରମୋଟରଙ୍କ ମଧ୍ୟରେ ପିୟୁଷ ବଂସଲ ୨ କୋଟି ସେୟାର ବିକ୍ରି କରିବେ ଏହି ସମୟରେ ନେହା ବଂସଲ, ଅମିତ ଚୌଧୁରୀ ଓ ସୁମିତ କପାହୀ ପ୍ରତ୍ୟେକ ନିଜର ଅଂଶ ବିକ୍ରି କରିବେ।

ବର୍ତ୍ତମାନ ପ୍ରମୋଟରଙ୍କ ପାଖରେ କମ୍ପାନୀର ସାମୂହିକ ଅଂଶିଦାରୀ ୧୯.୯୬% ରହିଛି ଓ ବାକି ୮୦.୦୪% ସେୟାର ସଂସ୍ଥାଗତ ଓ ଅନ୍ୟ ସେଆରଧାରୀଙ୍କ ନିକଟରେ ରହିଛି। ୨୦୨୫ ମସିହାରେ ଲେନସକାର୍ଟର ନିଟ ପ୍ରଫିଚ ୨୯୭.୩କୋଟି ଟଙ୍କାକୁ ପହଞ୍ଚିଛି। ତେବେ ଏହା ପୂର୍ବ ବର୍ଷ ଅର୍ଥାତ ୨୦୨୪ରେ କମ୍ପାନୀକୁ ୧୦.୨ କୋଟି ଟଙ୍କାର କ୍ଷତି ହୋଇଥିଲା। ଆଇପିଓ ଦ୍ୱାରା କମ୍ପାନୀକୁ ଯେଉଁ ଧନ ମିଳିବ ସେଥିରେ କମ୍ପାନୀ ମାଲିକାନାଧୀନ ନୂଆ ଷ୍ଟୋର ଖୋଲିବା, ଲିଜ ନେବା, ଭଡ଼ାରେ ନେବା ଓ ଲାଇସେନ୍ସ ବୁଝାମଣା ନିମନ୍ତେ ପୈଠ କରାଯିବ।

ଏହା ଛଡା ଟେକ୍ନୋଲଜି, କ୍ଲାଉଡ ସମ୍ପର୍କିତ ଇନଫ୍ରା, ବ୍ରାଣ୍ଡ ଡିଷ୍ଟ୍ରିବ୍ୟୁସନ ଓ ପ୍ରମୋସନ ନିମନ୍ତେ ବ୍ୟୟ କରାଯିବ। କୋଟାକ ମହିନ୍ଦ୍ରା, ମର୍ଗନ ଷ୍ଟାନଲୀ, ସିଟି, ଏଭେଣ୍ଡସ୍ କ୍ୟାପିଟାଲ ଓ ଇଣ୍ଟେନସିଭ ଫିସ୍କାଲ ସର୍ଭିସେସ କମ୍ପାନୀ ଆଇପିଓର ମର୍ଚ୍ଚାଣ୍ଟ ବ୍ୟାଙ୍କର ଅଛନ୍ତି। ୨୦୦୮ ମସିହାରେ ସ୍ଥାପିତ ଲେନସକାର୍ଟ ସାରା ବିଶ୍ୱରେ ୨୦୦୦ରୁ ଅଧିକ ଷ୍ଟୋର ସଞ୍ଚାଳନ କରୁଛି, ଯେଉଁଗୁଡିକର ଅନଲାଇନ ଓ ଅଫଲାଇନରେ ମଜଭୁତ ଉପସ୍ଥିତି ରହିଛି।  ଏହାକୁ ସଫ୍ଟବ୍ୟାଙ୍କ, ଏଡିଆଇଏ, ଟେମାସେକ, କେକେଆର, ଆଲଫା ୱେବ୍, ଟିପିଜି ଓ କେଦାରା କ୍ୟାପିଟାଲସ୍ ଭଳି ପ୍ରମୁଖ ବୈଶ୍ୱିକ ନିବେଶକଙ୍କ ସମର୍ଥନ ରହିଛି।