News7 Logo

ଶ୍ରୀମନ୍ଦିରର ଉନ୍ନତି ମୂଳକ ଯୋଜନାର ସମୀକ୍ଷା କଲେ ଆଇନ ମନ୍ତ୍ରୀ, କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦିଆଗଲା ଡେଡ୍‌ଲାଇନ୍

NEWS7

ଭୁବନେଶ୍ୱର: ଶ୍ରୀମନ୍ଦିରର ବିଭିନ୍ନ ଉନ୍ନତି ମୂଳକ ଯୋଜନାର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ବୈଠକରେ ସମସ୍ତ ଯୋଜନାର କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଗୋଟିଏ ତାରିଖ ନିର୍ଦ୍ଧାରଣ କରାଯାଇଛି । ପୁରୀରେ ଥିବା ପାଞ୍ଚଟି ପୁଷ୍କରିଣୀର ଉନ୍ନତି ଓ ପୁନରୁଦ୍ଧାର ପାଇଁ ବ୍ୟାପକ ଆଲୋଚନା ହୋଇଛି । ଏବେ ଯେଉଁ ସବୁ ବିଭାଗର ପ୍ରକଳ୍ପ ବାକି ରହିଛି ସେହି ବିଭାଗ ପାଇଁ ତାରିଖ ଦିଆଯାଇଛି । ଧାଡ଼ି ଦର୍ଶନ ପାଇଁ ମଧ୍ୟ ଆଲୋଚନା ହୋଇଛି ।

ସେବାୟତ ପିଲାଙ୍କ ପାଠ ପଢ଼ିବା ପାଇଁ ଗୁରୁକୁଳ, ସେବାୟତ ଷ୍ଟାଫ୍ କ୍ୱାଟର କିଭଳି ଭାବେ ନିର୍ମାଣ କରାଯିବ ଓ କେବେ ସୁଦ୍ଧା ଶେଷ ହେବ ତାହା ପାଇଁ ସମୟ ସ୍ଥିର କରାଯାଇଛି । ପୁରୀରେ ଟ୍ରାଫିକ ସମସ୍ୟାର କିଭଳି ସମାଧାନ ହେବ ତାହା ଉପରେ ବୈଠକରେ ଆଲୋଚନା ହୋଇଛି । ଜମି ଅଧିଗ୍ରହଣ କିମ୍ବା ଅନ୍ୟାନ୍ୟ ସମସ୍ୟା ହେଲେ, ତାର ତୁରନ୍ତ ସମାଧାନ କିପରି ହେବ ସେନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ନିର୍ଦ୍ଧାରିତ ତାରିଖ ଭିତରେ କାର୍ଯ୍ୟ ଶେଷ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।