ନୂଆପଡ଼ା ୨୫।୧୧: ନିର୍ବାଚନ । କିଏ ଜିତେ ତ, ଆଉ କିଏ ହାରେ । ହେଲେ ନୂଆପଡ଼ାରୁ ଆସିଛି ଏକ ଭିନ୍ନ ଚିତ୍ର । ଯେଉଁଠି ଜଣେ ପ୍ରାର୍ଥୀ ନିର୍ବାଚନ ଲଢିବାକୁ ଯାଇ କାଙ୍ଗାଳ ହୋଇଯାଇଛନ୍ତି ଜଣେ ପ୍ରାର୍ଥୀ । ଦଳ ପ୍ରାର୍ଥୀ କରିବ ବୋଲି ପ୍ରତିଶୃତି ଦେଇଥିଲା । ହେଲେ ଶେଷ ସମୟରେ ହାତ ଛାଡ଼ିଦେଇଥିଲା ଦଳ । ଯାହାଫଳରେ ପ୍ରାର୍ଥୀ ଜଣଙ୍କ ନିଜ ଜମି ବନ୍ଧା ପକାଇ ନିର୍ବାଚନ ଲଢିଥିଲେ । ଆଉ ପାଇଥିଲେ ମାତ୍ର ୧୩୨୨ ଖଣ୍ଡ ଭୋଟ୍‌ ।  

ନୂଆପଡ଼ା ଉପନିର୍ବାଚନ । ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିଲେ ଲକ୍ଷ୍ମୀକାନ୍ତ ତାଣ୍ଡି । ସେ ନିର୍ବାଚନ ଖର୍ଚ୍ଚ ଲାଗି ଲକ୍ଷେ ଟଙ୍କାରେ ଜମି ବନ୍ଧକ ରଖିଥିଲେ । ହେଲେ ନିର୍ବାଚନରେ ତାଙ୍କର ଅମାନତ ଉଡ଼ିଯାଇଛି । ତାଙ୍କୁ ମିଳିଛି ମାତ୍ର ୧୩୨୨ ଖଣ୍ଡ ଭୋଟ୍‌ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କୋମନା ବ୍ଲକ ରେଙ୍ଗ ଗାଁର ବାସିନ୍ଦା ଲକ୍ଷ୍ମୀକାନ୍ତ । ଉପନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତଙ୍କୁ ଦଳୀୟ ଟିକଟରେ ନିର୍ବାଚନ ଲଢିବାକୁ ନିର୍ଦ୍ଦେଶ ଆସିଥିଲା । ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କୁ ଦଳୀୟ ଟିକଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ନାମାଙ୍କନ ଦାଖଲ ଶେଷ ଦିନ ସୁଦ୍ଧା ଦଳୀୟ ଟିକଟ ମିଳି ନଥିଲା । ଦଳୀୟ ଟିକଟରେ ନିର୍ବାଚନ ଲଢିବାର ଆଶା ମଉଳି ଯିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ । ଶେଷ ସମୟରେ ଦଳ ହାତ ଛାଡ଼ି ଦେବା ପରେ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ କାଠିକର ହୋଇଥିଲା । ଏପଟେ ବ୍ୟାନର, ପୋଷ୍ଟର, ପ୍ରଚାର ପାଇଁ ଆବଶ୍ୟକ ମାଇକ୍‌ ସେଟ୍‌ ପାଇଁ ମୋଟା ଅଙ୍କର ଟଙ୍କା ଦରକାର ପଡ଼ିଲା । ଲକ୍ଷ୍ମୀକାନ୍ତ ପଛକୁ ହଟି ନଥିଲେ । ବ୍ୟାନର ଓ ପୋଷ୍ଟର ଛାପିବାକୁ ୪ ଏକର ପୈତୃକ ଚାଷଜମିରୁ ଗୋଟିଏ ଏକର ବନ୍ଧକ ରଖିବାକୁ ସ୍ଥିର କରିଥିଲେ । ଧାନ ଚାଷ ହୋଇଥିବା ଉକ୍ତ ଜମିକୁ ନିଜ କାକାଙ୍କ ପାଖରେ ବର୍ଷକ ପାଇଁ ଲକ୍ଷେ ଟଙ୍କାରେ ବନ୍ଧକ ରଖିଥିଲେ । ସେହି ଲକ୍ଷେ ଟଙ୍କା ନିର୍ବାଚନ ଖର୍ଚ୍ଚରେ ସାରିଥିଲେ । ନିର୍ବାଚନ ସରିଲା । ଭୋଟ ଗଣତି ବି ସରିଲା । ହେଲେ ଲକ୍ଷ୍ମୀକାନ୍ତ ପାଇଲେ ମାତ୍ର ୧୩୨୨ ଖଣ୍ଡ ଭୋଟ । ନିର୍ବାଚନ ଲଢ଼ିବା ନିଶା ଏବଂ ଆତ୍ମସମ୍ମାନ ପାଇଁ ଲକ୍ଷ୍ମୀକାନ୍ତ ଜମି ବନ୍ଧକ ରଖିବା ଲୋକଲୋଚନର ବିଷୟ ହୋଇଛି । ଲକ୍ଷ୍ମୀକାନ୍ତ ଅବିବାହିତ । ପରିବାରରେ ମା’ବାପା, ଦୁଇ ଭାଇ ଅଛନ୍ତି ।