ଭେନେଜୁଏଲା ଉପରେ ଆମେରିକାର ସ୍ବାମିତ୍ବ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ ?

NEWS7
l-70-guns-zu-23mm-schilka-s-400-weapons-india-deployed-to-intercept

ନୂଆଦିଲ୍ଲୀ: ଦୁନିଆର ସବୁଠୁ ବଡ଼ ତେଲ ଭଣ୍ଡାର ଥିବା ଦେଶ ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ କରିଛି ଆମେରିକା। ଏହି କାର୍ଯ୍ୟାନୁଷ୍ଠାନ ସହ ଭେନେଜୁଏଲାର ଶାସନ ଗାଦିକୁ ମଧ୍ୟ ଆମେରିକା ନିଜ ଅକ୍ତିଆରକୁ ନେଇଛି । ହେଲେ ଏହି ଘଟଣା ପରେ ବିଶ୍ବରେ ଭୂ- ରାଜନୈତିକ ଏବଂ ଅର୍ଥନୈତିକ ଅନିଶ୍ଚିତତା ପୁଣି ବଢ଼ିଛି। ଫଳରେ ସେଠାରେ ନିବେଶ ତଥା ବ୍ୟବସାୟ କରୁଥିବା ଭାରତୀୟ କମ୍ପାନିମାନେ ଏବେ ସତର୍କ ହୋଇଛନ୍ତି।

ଭେନେଜୁଏଲାରେ ଭାରତୀୟ ବ୍ୟବସାୟୀ ମୁଖ୍ୟତଃ ଏନର୍ଜି ସେକ୍ଟର, କ୍ରୁଡ ଅଏଲ, ଇଞ୍ଜିନିୟରିଂ ସେବା ଏବଂ ଔଷଧ କାରବାର ନିବେଶ କରିଛନ୍ତି। ହେଲେ ଏହି ଘଟଣା ପରେ ଭାରତୀୟ କମ୍ପାନିଙ୍କ ନିବେଶ ପ୍ରଭାବିତ ହୋଇପାରେ।

ରିପୋର୍ଟ ଅନୁସାରେ, ସରକାରୀ କମ୍ପାନି ONGC ଭେନେଜୁଏଲାରେ ନିବେଶରେ ସବୁଠୁ ଆଗରେ ରହିଛି। ଓଏନଜିସିର ଭେନେଜୁଏଲାରେ ଦୁଇଟି ତେଲ ପ୍ରୋଜେକ୍ଟରେ ଇକ୍ବିଟି ଶେୟାର ରହିଛି। ସେହିଭଳି ରିଫାଇନିଂ କ୍ଷେତ୍ର କଥା କହିଲେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭେନେଜୁଏଲାରୁ ରେକର୍ଡ ମାତ୍ରାରେ କ୍ରୁଡ୍ ଅଏଲ ଆମଦାନୀ କରୁଛି। ବିଶ୍ଲେଷକଙ୍କ ମତରେ ଯଦି ଭେନେଜୁଏଲା ଉପରେ ଲାଗିଥିବା ପ୍ରତିବନ୍ଧକ କୋହଳ କରାଯାଉଛି କିମ୍ବା ତାହାକୁ ହଟାଯାଏ, ତେବେ ଏହାଦ୍ବାରା ରିଲାଏନ୍ସ ଏବଂ ଓଏନଜିସିକୁ ଫାଇଦା ହୋଇପାରେ।

ସେହିଭଳି ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଭେନେଜୁଏଲାର କାରାବୋବୋ ହେଭି ଅଏଲ ପ୍ରକଳ୍ପରେ ଏକ କନସୋରଟିୟମ ପାର୍ଟନର (ସହଭାଗୀ) ରହିଛି। ଏହା ସହ ଅଏଲ ଇଣ୍ଡିଆ, ଓଏନଜିସି ଏବଂ ଇଣ୍ଡିଆନ ଅଏଲ ସହ ଭେନେଜୁଏଲାର ଏକ କନସୋରଟିୟମର ମଧ୍ୟ ସହାଭାଗିତା ରହିଛି। ମାଙ୍ଗଲୋର ରିଫାଇନାରୀ ଆଣ୍ଡ୍ ପେଟ୍ରୋକେମିକାଲ୍ସ ମଧ୍ୟ ଅତୀତରେ ଭେନେଜୁଏଲାରରୁ ତେଲ କିଣିଛି। ଏଥିପାଇଁ ଆମେରିକାର ଆକ୍ରମଣ ପରେ ଭେନେଜୁଏଲାର ତେଲ ଉତ୍ପାଦନ, ରପ୍ତାନୀ କିମ୍ବା ଲଜିଷ୍ଟିକ୍ସରେ କୌଣସି ବାଧା ଏହି କମ୍ପାନିଙ୍କୁ ପ୍ରଭାବିତ କରିପାରେ।

ଭାରତୀୟ ଇଞ୍ଜିନିୟରିଂ ଏବଂ ଔଷଧ କମ୍ପାନିଙ୍କ ଭେନେଜୁଏଲାରେ ବ୍ୟବସାୟ

ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ (EIL)ର ଆନ୍ତର୍ଜାତୀୟ ବ୍ୟବସାୟିକ କାମ ପାଇଁ କାରାକାସରେ ଏକ କାର୍ଯ୍ୟାଳୟ ରହିଛି। ସେହିଭଳି ଭାରତୀୟ ଔଷଧ କମ୍ପାନିଙ୍କର ମଧ୍ୟ ଭେନେଜୁଏଲାରେ ବିଜନେସ ରହିଛି। ସନ ଫାର୍ମାର ଭେନେଜୁଏଲାରେ ଏକ ପଞ୍ଜୀକୃତ ସହାୟକ କମ୍ପାନି। ଗ୍ଲେନମାର୍କ ଫାର୍ମା ସ୍ଥାନୀୟ ଭାବରେ ପଞ୍ଜୀକୃତ ସହାୟକ କମ୍ପାନି ମାଧ୍ୟମରେ ଭେନଜୁଏଲାରେ କାମ କରୁଛି। ସିପ୍ଲା ମଧ୍ୟ ଭେନେଜୁଏଲାରେ ଆବଶ୍ୟକୀୟ ଔଷଧ ରପ୍ତାନୀ କରିଛି। ଡା. ରେଡ୍ଡିଜ ଲାବୋରେଟୋରିଜ୍ ପୂର୍ବରୁ ଏକ ସହାୟକ କମ୍ପାନି ଥିଲା। କିନ୍ତୁ କମ୍ପାନି ୨୦୨୪ରେ ନିଜର ପୂରା ଅଂଶଧନ ବିକ୍ରି କରିଛି। ମେଟାଲ ସେକ୍ଟରରେ ଜିନ୍ଦଲ ଷ୍ଟିଲ୍ ଭେନେଜୁଏଲାର ସବୁଠୁ ବଡ଼ ଆଇରନ ଓର୍ର ପରିଚାଳନା କରୁଛି।