କାଠମାଂଡୁ ୧୧।୯: ନେପାଳରେ ରାଜନୈତିକ ପଡଉଠ ମଧ୍ୟରେ ଅନ୍ତରୀଣ ସରକାରର ନେତୃତ୍ୱକୁ ନେଇ ଏବେ ଛବି ସ୍ପଷ୍ଟ ହୋଇଛି। ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ଇସ୍ତଫା ପରେ ଅନ୍ତରୀଣ ସରକାରର ମୁଖିଆ ରୂପେ କୁଲମନ ଘିସିଂଙ୍କ ନାମ ସବା ଆଗରେ ରହିଛି। ଦୁର୍ନୀତି ବିରୋଧରେ ସଡ଼କକୁ ଓହ୍ଲାଇଥିବା ଜେନ-ଜେଡ୍ ଆନ୍ଦୋଳନକାରୀମାନେ ପୂର୍ବତନ ବିଦ୍ୟୁତ ପ୍ରାଧିକରଣ ମୁଖ୍ୟ କୁଲମନ ଘିସିଂଙ୍କୁ ନିଜର ସମର୍ଥନ ଦେଇଛନ୍ତି।

ତେବେ ଏହା ପୂର୍ବରୁ କାଠମାଣ୍ଡୁର ଲୋକପ୍ରୀୟ ମେୟର ତଥା ଯୁବ ନେତା ବାଲେନ ଶାହଙ୍କ ନାମ ସାମ୍ନାକୁ ଆସିଥିଲା। ତେବେ ସେ ସାର୍ବଜନିକ ଭାବେ ଅନ୍ତରୀଣ ସରକାରର ଦାୟିତ୍ୱ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏହା ପରେ ପୂର୍ବତନ ବିଚାରପତି ସୁଶୀଲା କାର୍କୀଙ୍କ ନାମ ପ୍ରସ୍ତାବ କରାଯାଇଥିଲା। କାର୍କୀଙ୍କୁ ଶାହ ମଧ୍ୟ ସମର୍ଥନ କରିଥିଲେ। ତେବେ ସାମ୍ବିଧାନିକ ଜଟିଳତା ଓ ବୟସାଧିକ୍ୟ କାରଣରୁ କାର୍କୀ ମଧ୍ୟ ଏହି ଦାୟିତ୍ୱ ଗ୍ରହଣ କରିବାକୁ ମନା କରିଛନ୍ତି। ଏହି ଦୁଇ ପ୍ରମୁଖ ନାମ ହଟିବା ପରେ ଜେନ-ଜେଡ୍ ବିକ୍ଷୋଭକାରୀ ସର୍ବସମ୍ମତ ଭାବେ କୁଲମାନ ଘିସିଂଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି।

ସ୍ଥାନୀୟ ରିପୋର୍ଟ ଅନୁସାରେ ଯୁବବର୍ଗଙ୍କ କହିବା କଥା ହେଉଛି ଘିସିଂ ନା କେବଳ ଦୁର୍ନୀତିରୁ ଦୂରରେ ଅଛନ୍ତି ବରଂ ସେ ଦେଶ ଲାଗି ଶକ୍ତି କ୍ଷେତ୍ରରେ ମଜଭୁତ କାମ ମଧ୍ୟ କରିଛନ୍ତି। ୨୫ ନଭେମ୍ବର ୧୯୭୦ ମସିହାରେ ନେପାଳର ଏକ ଗ୍ରାମୀଣ କ୍ଷେତ୍ରରେ ଜନ୍ମିତ କୁଲମନ ଘିସିଂଙ୍କ କାହାଣୀ ପ୍ରେରଣାରେ ଭରପୁର। ସେ ଭାରତର ଜାମସେଦପୁରସ୍ଥିତ ଆଞ୍ଚଳିକ ପ୍ରଯୁକ୍ତି ସଂସ୍ଥାନ ଓ ନେପାଳର ପୁଲଚୌକ ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢିଛନ୍ତି।

‘ପାୱାର ମ୍ୟାନ ଅଫ ନେପାଳ’ ଭାବେ ପରିଚିତ ଘିସିଂ ୧୯୯୪ ମସିହାରେ ତାଙ୍କ କ୍ୟାରିୟର ନେପାଳ ବିଦ୍ୟୁତ ପ୍ରାଧିକରଣ (ଏନଇଏ)ରେ ବିଦ୍ୟୁତ ଇଞ୍ଜିନିୟର ଭାବେ ଆରମ୍ଭ କରିଥିଲେ। ୨୦୧୬ରେ ସେ ଯେତେବେଳେ ଏନଇଏରେ ମ୍ୟାନେଜିଂ ଡାଇରେକ୍ଟର ନିଯୁକ୍ତ ହେଲେ ସେତେବେଳେ ନେପାଳରେ ଦୈନିକ ୧୮ ଘଣ୍ଟା ବିଦ୍ୟୁତ କାଟ ହେଉଥିଲା। ଘିସିଂ ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ ଓ ଏନଇଏରେ ବ୍ୟାପକ ସଂସ୍କାର କରିଥିଲେ। ଏହା ଦ୍ୱାରା ନା କେବଳ ପାୱାର କଟର ସମାଧାନ ହୋଇଥିଲା ବରଂ ସଂସ୍ଥା ଲାଭଜନକ ମଧ୍ୟ ହୋଇଥିଲା।

ଏବେ ନେପାଳ ଯେତେବେଳେ ଗୁରୁତର ରାଜନୈତିକ ସଂକଟ ଓ ହିଂସାତ୍ମକ ବିକ୍ଷୋଭ ଦେଇ ଗତି କରୁଛି କୁଲମନ ଘିସିଂଙ୍କ ନାମ ସ୍ଥାୟିତ୍ୱ ଓ ପରିବର୍ତ୍ତନର ଆଶା ରୂପେ ଦେଖା ଯାଉଛି। ଜେନ-ଜେଡ୍ ଆନ୍ଦୋଳନ ଯୋଗୁ ଓଲି ସରକାରକୁ ଇସ୍ତଫା ଦେବାକୁ ପଡିଲା ଓ ପରିସ୍ଥିତି ଏପରି ବିଗିଡିଗଲା ଯେ ସେନାକୁ ଦେଶର ଦାୟିତ୍ୱ ନେବାକୁ ପଡିଲା ଓ ଏବେ ଦେଶ ବ୍ୟାପୀ କର୍ଫ୍ୟୁ ଜାରି ହୋଇଛି। ଏଥିରେ ଘିସିଂ ଏବେ ଆଶାର କିରଣ ଭାବେ ଉଭା ହୋଇଛନ୍ତି।