ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବନାମ ଆରଏସଏସ୍ ବିବାଦ ବଢିବାରେ ଲାଗିଛି । ପୁଅ ପ୍ରିୟଙ୍କ ଖଡଗେଙ୍କ ପରେ ଏବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଆରଏସ୍‌ଏସ୍ କାର୍ଯ୍ୟକ୍ରମକୁ ବ୍ୟାନ୍ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଖଡଗେ କହିଛନ୍ତି ଯେ ମୋର ବ୍ୟକ୍ତିଗତ ମତ ଯେ ଆରଏସ୍‌ଏସ୍‌କୁ ବ୍ୟାନ କରିଦେବା ଦରକାର, କାରଣ ଦେଶରେ ଅଧିକାଂଶ ଆଇନ ଶୃଙ୍ଖଳା ସମସ୍ୟା ଆରଏସ୍‌ଏସ୍-ବିଜେପି ପାଇଁ ହେଉଛି । ସେ କହିଛନ୍ତି ଯେ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସରଦାର ବଲ୍ଲବଭାଇ ପଟେଲ ମଧ୍ୟ ଆରଏସ୍‌ଏସ୍‌କୁ ସମାଲୋଚନା କରିଥିଲେ ।

କଂଗ୍ରେସ ଅଧ୍ୟକ୍ଷ ଦାବି କରିଛନ୍ତି ଯେ ସରଦାର ପଟେଲ ଭାରତର ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ସ୍ୱରୂପକୁ ରକ୍ଷା କରିବା ପାଇଁ ଆରଏସ୍‌ଏସ୍‌କୁ ନିଷେଧ କରିଥିଲେ । ଆପଣ (ବିଜେପି) ସବୁ କଥାରେ କଂଗ୍ରେସକୁ ଦୋଷ ଦେଉଛନ୍ତି, ଥରେ ନିଜ କାମଗୁଡ଼ିକୁ ମଧ୍ୟ ଦେଖ । ଖଡଗେ କହିଛନ୍ତି, ସତକୁ ଯେତେ ଲୁଚାଇବାକୁ ଚେଷ୍ଟ କଲେ ବି ତାହା ଲୁଚିବ ନାହିଁ ।

ସେ କହିଛନ୍ତି ଯେ ସରଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂର୍ଣ୍ଣ ତିଥି । ସରଦାର ପଟେଲ ଲୌହ ପୁରୁଷ ଥିଲେ ଓ ଇନ୍ଦିରା ଗାନ୍ଧୀ ଆଇରନ୍ ଲେଡି ଥିଲେ । ଦୁହେଁ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବାର କାମ କରିଥିଲେ । କଂଗ୍ରେସ ଦେଶ ପାଇଁ କଣ କରିଛି ତାହା ଇତିହାସ କହୁଛି । ଏହି ସମୟରେ ସେ ସରଦାର ପଟେଲଙ୍କ ଚିଠି କଥା ଉଲ୍ଲେଖ କରିଥିଲେ, ଯାହାକୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଲେଖିଥିଲେ । ସେ କହିଛନ୍ତି ଯେ ସରଦାର ପଟେଲ ଲେଖିଥିଲେ ଯେ ଆରଏସ୍‌ଏସ୍ ସୃଷ୍ଟି କରିଥିବା ମାହୋଲରୁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରି ଦିଆଗଲା ।

ଖଡେଗ କହିଛନ୍ତି, ଆରଏସ୍‌ଏସ୍ ଲୋକ ସବୁବେଳେ ପଣ୍ଡିତ ଜବାହରଲାଲ୍ ନେହରୁ ଓ ସରଦାର ପଟେଲଙ୍କ ମଧ୍ୟରେ ସବୁବେଳେ ବିବାଦ କଥା କହୁଛନ୍ତି । କିନ୍ତୁ ବାସ୍ତବରେ ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ଓ ସମୟରେ ସମୟରେ ପରସ୍ପରକୁ ପ୍ରଶଂସା କରୁଥିଲେ । ନେହରୁ ସବୁବେଳେ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ପଟେଲଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଜେପିକୁ କହିବାକୁ ଚାହୁଁଛି ଯେ ଦହିରେ ଗୋଡ଼ି ଖୋଜ ନାହିଁ । ଆପଣଙ୍କ ଇତିହାସ ସଭିଙ୍କୁ ଜଣା । ନେହରୁ ହିଁ ସର୍ବପ୍ରଥମେ ଗୁଜରାଟରେ ପଟେଲଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ ଓ ସରଦାର ସରୋବର ଡ୍ୟାମର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଥିଲେ ଯେ ସରଦାର ପଟେଲ ଅନ୍ୟ ଗଡ଼ଜାତ ପରି ପୂରା କାଶ୍ମୀରକୁ ଭାରତରେ ବିଲୟ କରିବାକୁ ଚାହୁଁଥିଲେ, କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁ ଏପରି ହେବାକୁ ଦେଇନଥିଲେ । ଗୁଜରାଟର ଏକତା ନଗରରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ରାଷ୍ଟ୍ରୀୟ ଏକତା ଦିବସ ପରେଡ ପରେ ଉପସ୍ଥିତ ଲୋକଙ୍କୁ ସମ୍ୱିଧୋତ କରିଥିଲେ । ସେ କହିଥିଲେ, ସରଦାର ପଟେଲଙ୍କ ମତ ଥିଲା ଇତିହାସ ଲେଖିବାରେ ସମୟ ବର୍ବାଦ ନକରି, ଇତିହାସ ରଚିବା ପାଇଁ କଡ଼ା ପରିଶ୍ରମ କରିବା ଦରକାର ।