ବିଦ୍ୟୁତ୍ ସେବାରୁ ବଞ୍ଚିତ କଟଡିମାହା ଗ୍ରାମବାସୀ, ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତି

Published By : Prameya-News7 Bureau | May 06, 2024 IST

representative

ଦାରିଙ୍ଗବାଡି:  ଦିନେ କି ଦୁଇଦିନ ନୁହେଁ ସ୍ବାଧୀନତାର ୭୭ ବର୍ଷ ବିତିଯାଇଛି ସତ ହେଲେ ଆଜି ବି ଲୋକ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଲୋକଙ୍କ ପାଇଁ ସରକାରୀ ଯୋଜନା ସାତ ସ୍ବପ୍ନ ପାଲଟିଛି । ବର୍ଷ ବର୍ଷ ହେଲା ଲୋକେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ଏଭଳି ଏକ ଗାଁ ହେଉଛି ଦାରିଙ୍ଗବାଡି ବ୍ଲକର ସିର୍କାବର୍ଗ ପଞ୍ଚାୟତର  କଟଡିମାହା ଗ୍ରାମ । ଉକ୍ତ ଗାଁରେ ୯୦ ରୁ ଉର୍ଦ୍ଧ ପରିବାର ଦୀର୍ଘ ଦିନ ଧରି ବସବାସ କରୁଥିବା ବେଳେ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି ସମସ୍ତ ପରିବାର । 

ପାହାଡ଼ ଜଙ୍ଗଲ ମଧ୍ୟରେ ଉକ୍ତ ଗାଁ ରହିଥିବା ବେଳେ । ରାତ୍ର ହୋଇଗଲେ ଗାଁ କୁ ଜୀବ ଜନ୍ତୁଙ୍କ ଭୟ ରହୁଛି । ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ାରେ ଲାଗିଲାଣି ଡୋରି । କାରଣ ଏବେ ଡିବିରି ଆଲୁଅ ଜାଳିବା ପାଇଁ ବି କିରୋସିନ ମିଳୁନାହିଁ । ଫଳରେ ଅଧିକ ସମୟ ପାଠ ପଢି ହୋଇ ପାରୁନାହିଁ । ବିଦ୍ୟୁତ୍ ନଥିବା ଫଳରେ ଅନେକ ସମସ୍ୟା ଦେଖା ଦେଉଛି । 

ତେବେ ବିଦ୍ୟୁତ୍ ଯୋଗାଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ସୁଦ୍ଧା କଟଡିମାହା ଗ୍ରାମ ପାଇଁ ଏହା ଏକ ସ୍ବପ୍ନ ହୋଇ ରହିଛି । ଲୋକେ ଏନେଇ ବିଭିନ୍ନ ସମୟରେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ପହଞ୍ଚି ପାରିନାହିଁ ଉକ୍ତ ଗ୍ରାମରେ । ଏଣୁ ଗାଁ କୁ ବିଦ୍ୟୁତ୍ ସଂଯୋଗ ନହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଥିବା ଗ୍ରାମର ୱାର୍ଡ ମେମ୍ବର ପ୍ରତିମା ପ୍ରଧାନ, ମଶା ପ୍ରଧାନଙ୍କ ସମେତ ଅନେକ ଗ୍ରାମବାସୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.