ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ୧୯ରେ ପହଞ୍ଚିଲା ସଂଖ୍ୟା

Published By : Prameya-News7 Bureau | May 12, 2025 IST

କଟକ ୧୨/୦୫: ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି, ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ। କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଥବା ଜଷ୍ଟିସ ଶ୍ରୀପଦ,  ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନବ ନିଯୁକ୍ତ ବିଚାରପତି ଜଷ୍ଟିସ ଶ୍ରୀପଦଙ୍କୁ ଶପଥ ପାଠ କରାଇଛନ୍ତି। 

ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ, ୧୯୮୯ ମସିହାରେ ଜଣେ ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। କର୍ଣ୍ଣାଟକ ଏବଂ ମାଡ୍ରାସ ହାଇକୋର୍ଟରେ ସେ ଜଣେ କଂଷ୍ଟିଚ୍ୟୁସନାଲ ଲୟର ଭାବେ ବେଶ ସୁନାମ ଅର୍ଜନ କରୁଥିଲେ। ତା ସହିତ ସମୟ କ୍ରମେ ସେ ଭାରତୀୟ ନିର୍ବାଚନ କମିଶନ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନଙ୍କ ଓକିଲ ଭାବେ ବେଶ ଦକ୍ଷତାର ସହିତ କାମ କରିଛନ୍ତି। ୨୦୧୪ ମସିହାରେ ସେ ଆସିଷ୍ଟାଣ୍ଟ ସାଲିସିଟର ଜେନେରାଲ ଭାବେ ଭାରତ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିଲେ। ଏବଂ ୨୦୧୮ ମସିହା ଫେବୃୟାରୀ ୧୪ ତାରିଖରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। 


ଆଜିର ଶପଥ ଗ୍ରହଣ ଉତ୍ସବରେ ଓଡିଶା ହାଇକୋର୍ଟର ସମସ୍ତ ବିଚାରପତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୋଲିସ କମିଶନର, କଟକ ଡିସିପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଆଇନଜୀବୀ ମାନେ ଯୋଗ ଦେଇଥିଲେ । ଜଷ୍ଟିସ ଶ୍ରୀପଦ କାର୍ଯ୍ୟରେ ଯୋଗ ଦେବାପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ ରେ ପହଁଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.