LIVE TV

୭ ବର୍ଷ ଓକିଲାତି କରିଥିବା ନ୍ୟାୟିକ ଅଧିକାରୀ ହୋଇପାରିବେ ଜିଲ୍ଲା ଜଜ୍, ହାଇକୋର୍ଟଙ୍କ ରାୟ ବଦଳାଇଲେ ସୁପ୍ରିମକୋର୍ଟ

NEWS7
supreme court

ନୂଆଦିଲ୍ଲୀ: ୭ ବର୍ଷ ଓକିଲାତି କରି ସାରିଥିବା ନ୍ୟାୟିକ ଅଧିକାରୀମାନେ ଏଣିକି ବାର୍ କୋଟା ଅଧିନରେ ଜିଲ୍ଲା ଜଜ୍ ହୋଇପାରିବେ । ସୁପ୍ରିମକୋର୍ଟ ଗୁରୁବାର ଐତିହାସିକ ନିଷ୍ପତ୍ତି ଶୁଣାଇ ଏହା କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର୍.ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେଇ ସ୍ପଷ୍ଟ କରିଛନ୍ତି ଯେ ଯୋଗ୍ୟତାର ଗଣନା ଆବେଦନ ତିଥି ଉପରେ ହେବ । ନ୍ୟାୟିକ ଅଧିକାରୀ ଓ ଓକିଲ ଭାବେ ସଂଯୁକ୍ତ ଅଭିଜ୍ଞତାକୁ ସାତ ବର୍ଷର ଆବଶ୍ୟକ ଯୋଗ୍ୟତା ରୂପେ ଯୋଡ଼ା ଯାଇପାରିବ ।

ଖଣ୍ଡପୀଠ ୨୦୨୦ର ଧୀରଜ ମୋର ମାମଲାର ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ବଦଳାଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଥିଲା ଯେ କାର୍ଯ୍ୟରତ ନ୍ୟାୟିକ ଅଧିକାରୀ ବାର୍ କୋଟା ଅଧିନରେ ଜିଲ୍ଲା ଜଜ୍‌ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ । ସୁପ୍ରିମକୋର୍ଟ ରାୟରେ ସେହି ବ୍ୟବସ୍ଥାକୁ ରଦ୍ଦ କରି କହିଛନ୍ତି ଯେ ସମ୍ୱିଧାନର ବ୍ୟାଖ୍ୟା ଜୀବନ୍ତ ଓ ବ୍ୟବହାରିକ ହେବା ଦରକାର । ଅର୍ଥାତ୍ ବଦଳୁଥିବା ସମୟ ଓ ପରିସ୍ଥିତି ଅନୁସାରେ ଏହାକୁ ବଜଳାଯିବା ଦରକାର ।

ଏହି ମାମଲା ସମ୍ୱିଧାନ ଅନୁଚ୍ଛେଦ ୨୩୩ର ବ୍ୟାଖ୍ୟା ସହ ଜଡ଼ିତ, ଯେଉଁଥିରେ ଜିଲ୍ଲା ଜଜ୍୍‌ଙ୍କ ନିଯୁକ୍ତି କଥା ଉଲ୍ଲେଖ କରାଯାଇଛି । ଆବେଦନକାରୀଙ୍କ କହିବା ଥିଲା ଯେ ଏପରି ଅନେକ ନ୍ୟାୟିକ ଅଧିକାରୀ ଅଛନ୍ତି, ଯେଉଁମାନେ ସେବାକୁ ଆସିବା ପୂର୍ବରୁ ସାତ ବର୍ଷ ଯାଏଁ ଓକିଲାତି କରିଛନ୍ତି, କିନ୍ତୁ ପୁରୁଣା ନିଷ୍ପତ୍ତି ଯୋଗୁ ବାର୍ କୋଟାରୁ ବଞ୍ଚିତ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ପାଞ୍ଚ ସଦସ୍ୟ ଖଣ୍ଡପୀଠ ଏହି ଯୁକ୍ତି ଉପରେ ତିନି ଦିନ ଯାଏ ଶୁଣାଣି କରିଥିଲେ ଓ ସେପ୍ଟେମ୍ୱର ୨୫ରେ ରାୟ ସଂରକ୍ଷିତ ରଖିଥିଲେ । ସିଜେଆଇ ଗଭାଇଙ୍କ ବ୍ୟତୀତ ଏହି ସାମ୍ୱିଧାନିକ ଖଣ୍ଡପୀଠରେ ଜଷ୍ଟିସ୍ ଏମ୍.ଏମ୍.ସୁନ୍ଦରେଶ, ଅରବିନ୍ଦ କୁମାର, ଏସ.ସି ଶର୍ମା ଓ କେ.ବିନୋଦ ଚନ୍ଦ୍ରନ ସାମିଲ ଥିଲେ । ତିନି ମାସ ଭିତରେ ନିଜ ସେବା ନିୟମରେ ସଂଶୋଧନ କରିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।