ନୂଆଦିଲ୍ଲୀ, ୧୬|୧୧: ରାତି ୩ଟାରେ ଆରମ୍ଭ ହେଲା ମାମଲା । ଶୁଣାଣି କରୁଥିଲେ ଜଜ୍ । ସମସ୍ତ ପକ୍ଷଙ୍କ ଯୁକ୍ତି ଉପରେ ରଖୁଥିଲେ ନଜର । ଶୁଣାଣି ସରିଲା ବେଳକୁ ବାଜି ଯାଇଥିଲା ସକାଳ ସାଡେ ୬ଟା । ଦିଲ୍ଲୀର ପଟିଆଲା ହାଉସ କୋର୍ଟଙ୍କ ଏହି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ଅନେକ ପ୍ରଶଂସା କରିଛନ୍ତି ।

ରିପୋର୍ଟ ଅନୁସାରେ, ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ମନି ଲଣ୍ଡରିଂ ମାମଲାର ଶୁଣାଣି ଚାଲିଥିଲା । ଯାହାର ଶୁଣାଣି କରୁଥିଲେ ନ୍ୟାୟମୂର୍ତ୍ତି ସେଫାଳି ଟଣ୍ଡନ । ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଇଡି ହାଜତକୁ ପଠାଇବା ମାମଲାର ବିଚାର ଚାଲିଥିଲା । ତେବେ ନ୍ୟାୟମୂର୍ତ୍ତି ନିଜ ଘରେ ରାତି ୩ଟାରେ କୋର୍ଟ ଖୋଲିଥିଲେ ।

ସୂଚନାନୁସାରେ, ଓସିଅନ ସେଭେନ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ସ୍ବରାଜ ସିଂ ଯାଦବଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେରଫେର ନେଇ ଅଭିଯୋଗ ଲାଗିଥିଲା । ଗରିବଙ୍କୁ ଦିଆଯାଇଥିବା ଘରକୁ ସେ ବେଆଇନ ଭାବେ ନଗଦ ଆକାରରେ ବିକ୍ରି କରିଦେଇଥିଲେ । ଗୁରୁବାର ତାଙ୍କର ଘରେ ଏବଂ ଅଫିସରେ ଇଡି ପକ୍ଷରୁ ଚଢାଉ କରାଯାଇଥିଲା । ଶେଷରେ ବିଳମ୍ବିତ ରାତ୍ରରେ ତାକୁ ଗିରଫ କରାଯାଇଥିଲା ।

ଇଡିର କହିବାନୁସାରେ, ସ୍ବରାଜଙ୍କ ବିରୋଧରେ ୨୨୨ କୋଟି ଟଙ୍କାର ହେରଫେର ଅଭିଯୋଗ ଆସିଛି । ପିଏମ୍ ଆବାସ ଘରକୁ ସେ ୪୦-୫୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଏହି ଟଙ୍କାରେ ସେ ଦେଶ ତଥା ବିଦେଶରେ ଅନେକ ସମ୍ପତ୍ତି କିଣିଥିଲେ । ଯେଉଁଥିରେ ମହାରାଷ୍ଟ୍ରରେ ୫୦୦ ଏକର, ପୁଣେ-ଅଲିବାଗ ରୋଡରେ ୧୦୦ ଏକର, ହିମାଚଳ ପ୍ରଦେଶରେ ରିସୋର୍ଟ ଏବଂ ଆମେରିକା ଏବଂ ବ୍ରିଟେନର ପ୍ଲଟ୍ ସାମିଲ ରହିଛି ।

ଗିରଫ ପରେ ଇଡି ରାତି ୩ଟାରେ ବିଚାରପତିଙ୍କ ସମ୍ମୁଖରେ ଅଭିଯୁକ୍ତକୁ ହାଜର କରିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗିରଫ ବ୍ୟକ୍ତିକୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରାଯିବା ଦରକାର । ତେଣୁ ଇଡି ତାଙ୍କୁ ବିଚାରପତିଙ୍କ ସମ୍ମୁଖରେ ହାଜର କରିଥିଲା । ତେବେ ୩ଟା୫ରେ କୋର୍ଟର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏତିକି ବେଳେ ଅଭିଯୁକ୍ତଙ୍କ ଓକିଲ ରାସ୍ତାରେ ଥିଲେ । ଊଭୟ ପକ୍ଷଙ୍କ ଶୁଣାଣି ଶେଷ ହେଲା ବେଳକୁ ସକାଳ ୬ଟା୩୦ ହୋଇଯାଇଥିଲା । ଯାହା ପରେ ବିଚାରପତି ଅଭିଯୁକ୍ତଙ୍କୁ ନଭେମ୍ବର ୨୮ ତାରିଖ ଯାଏଁ ଇଡିର ହାଜତକୁ ପଠାଇଥିଲେ ।