ଅଦାଲତ ଅବମାନନା ମାମଲାରେ ଟ୍ରମ୍ପ ଦୋଷୀ, କୋର୍ଟ କହିଲେ- ତୁମକୁ ଜେଲ୍ ପଠାଇ ଦେବୁ

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଦାଲତ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କ ଉପରେ ଜରିମାନା ଲଗାଇବା ସହ ଜେଲ ପଠାଇବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ଏପି ରିପୋର୍ଟ ଅନୁସାରେ କୋର୍ଟ ଗୁପ୍ତ ରୂପେ ଧନ ଦେବା ମାମଲାରେ କଟକଣାର ଉଲ୍ଲଂଘନ କରିବା ପାଇଁ ଟ୍ରମ୍ପଙ୍କୁ ଅଦାଲତ ଅବମାନନାର ଦୋଷୀ ବୋଲି କହିଛନ୍ତି । ଏହାସହ ତାଙ୍କ ଉପରେ ୯ ହଜାର ଡଲାର ଜରିମାନା ଲଗାଇଛନ୍ତି । ଏହାସହ କୋର୍ଟ ଟ୍ରମ୍ପଙ୍କୁ ଚେତାବନୀ ଦେଇ ମଧ୍ୟ ଦେଇଛନ୍ତି ଯେ ଯଦି ସେ କଟକଣା ଆଦେଶକୁ ଉଲ୍ଲଂଘନ କରିବା ଜାରି ରଖନ୍ତି ତେବେ ତାଙ୍କୁ ଜେଲ ପଠାଯିବ ।

ଟ୍ରମ୍ପଙ୍କୁ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିୟଲଙ୍କୁ ଗୁପ୍ତ ରୂପେ ଧନ ଦେବା ମାମଲାରେ ଜଡିତ ସାକ୍ଷୀ, ଜୁରୀ ସଦସ୍ୟ ଏବଂ ଅନ୍ୟଙ୍କ ଉପରେ ସାର୍ବଜାନୀନ ଟିପ୍ପଣୀ ଉପରେ ରୋକ ଲଗାଇଥିଲେ । ନ୍ୟାୟଧୀଶ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ପୁଣି ଥରେ ଏପରି କରନ୍ତି, ତେବେ ତାଙ୍କୁ ଜେଲ ଦଣ୍ଡ ମିଳିପାରେ । ଅଭିଯୋଗକାରୀ ଟ୍ରମ୍ପଙ୍କ ବିରୋଧରେ ୧୦ କଟକଣା ଉଲ୍ଲଂଘନ ଅଭିଯୋଗ ଲଗାଇଥିଲେ । କିନ୍ତୁ ନ୍ୟୁୟର୍କର ନ୍ୟାୟଧୀଶ ଜୁଆନ ଏମ୍ ମର୍ଚନ ୯ ଉଲ୍ଲଂଘନରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ବିଚାରପତି ନିଜ ରାୟରେ କହିଛନ୍ତି ଯେ ଟ୍ରମ୍ପଙ୍କୁ ଶୁକ୍ରବାର ସୁଦ୍ଧା ଜରିମାନା ଭରିବାକୁ ପଡ଼ିବ । ଏହାସହ ଟ୍ରମ୍ପଙ୍କୁ ନିଜ ଟ୍ରୁଥ ସୋସିଆଲ୍ ଆକାଉଣ୍ଟରୁ ସାତଟି ଆପତ୍ତିଜନକ ପୋଷ୍ଟ ଏବଂ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ପ୍ରଚାର ଅଭିଯାନ ୱେବସାଇଟରୁ ଦୁଇଟି ପୋଷ୍ଟ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ହଟାଇବାକୁ ଅର୍ଡର ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.