ଯୁଦ୍ଧ ଭିତରେ ଆମେରିକା ଗସ୍ତରେ ଯିବେ ନେତାନ୍ୟାହୁ; କଂଗ୍ରେସରେ ରଖିବେ ଅଭିଭାଷଣ

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ହମାସ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ଗସ୍ତରେ ଯିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଆସନ୍ତା ଜୁଲାଇ ୨୪ ତାରିଖରେ ବେଞ୍ଜାମିନ୍ ନେତାନ୍ୟାହୁ ୟୁଏସଏ ଯାଇପାରନ୍ତି । ଏନେଇ ଆମେରିକାର ରିପବ୍ଲିକ୍ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା କଂଗ୍ରେସରେ ସାଂସଦଙ୍କୁ ସମ୍ବୋଧିତ କରିବେ । ନେତାନ୍ୟାହୁଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ହମାସ ଯୁଦ୍ଧ ପାଇଁ ବୈଶ୍ବିକ ସ୍ତରରେ ଇସ୍ରାଏଲ ଏକଘରିଆ ହୋଇଯାଉଛି ।    

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ଯୁଦ୍ଧକୁ ନେଇ ଏକ ୩ ସ୍ତରୀୟ ଯୋଜନା  ଘୋଷଣା କରିଥିଲେ । କୁହାଯାଉଛି, ଏହା ଦ୍ବାରା ହମାସ୍ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଯିବ । ହମାସ୍ ପକ୍ଷରୁ ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯିବ ବୋଲି କୁହାଯାଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଏ ପର୍ଯ୍ୟନ୍ତ ଇସ୍ରାଏଲ ତା’ ଲକ୍ଷ୍ୟସ୍ଥଳରେ ନପହଞ୍ଚିଛି ସେ ପର୍ଯ୍ୟନ୍ତ ଯୁଦ୍ଧକୁ ନେଇ କୌଣସି ଆଲୋଚନା ହେବ ନାହିଁ । ଇସ୍ରାଏଲର ଲକ୍ଷ୍ୟ ହମାସକୁ ମୂଳରୁ ବିନାଶ କରିବା । 

ସୂଚନା ଅନୁଯାୟୀ, ଆମେରିକ କଂଗ୍ରେସର ଉଭୟ ଗୃହରେ ନେତାନ୍ୟାହୁ ଅଭିଭାଷଣ ଦେବେ ବୋଲି ଗତ ସପ୍ତାହରେ ୪ଜଣ ଶୀର୍ଷ ନେତା କହିଥିଲେ । ଯେଉଁଥିରେ ଆତଙ୍କବାଦ ଏବଂ ଆମେରିକା-ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖାଯାଇଥିବା ଉପରେ ଆଲୋଚନା ହେବ । ଆମେରିକାର ଜଣେ ଶୀର୍ଷ ନେତା କହିଛନ୍ତି, ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏହି ଗସ୍ତ ଆମେରିକା-ଇସ୍ରାଏଲ ମଧ୍ୟରେ  ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ମାତ୍ର ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କେବେ ଆମେରିକା ଗସ୍ତରେ ଯିବେ ଏବଂ କେବେ ସଂସଦକୁ ସମ୍ବୋଧିତ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.