ମୃତ୍ୟୁ ପରେ ପୁନର୍ଜୀବନ ଦାବି କରୁଥିବା ଯାଦୁକରଙ୍କୁ ବିବାହ କରିବେ ନରୱେ ରାଜକୁମାରୀ ମାର୍ଥା ଲୁଇସ୍

Published By : Prameya-News7 Bureau | August 30, 2024 IST

ଓସ୍ଲୋ : ନରୱେ ରାଜକୁମାରୀ ମାର୍ଥା ଲୁଇସ୍ (୫୨) ଅଗଷ୍ଟ ୩୧ ଶନିବାର ସ୍ୱଘୋଷିତ ଯାଦୁକର ଡ୍ୟୁରେକ ଭେରେଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ।  ନରୱେ ରାଜା ହେରଲ୍ଡଙ୍କ ଦୁଇ ସନ୍ତାନଙ୍କ ମଧ୍ୟରୁ ଜେଷ୍ଠ ମାର୍ଥା ଲୁଇସ୍ ପରଲୋକଗତ ଲେଖକ ତଥା କଳାକାର ଏରି ବେହନଙ୍କୁ ବିବାହ କରିଥିଲେ ଓ ଗତ ୨୦୧୭ ମସିହାରେ ଏହି ଦମ୍ପତ୍ତିଙ୍କ ଛାଡପତ୍ର ହୋଇଥିଲା। ସେମାନଙ୍କର ୩ଟି କନ୍ୟା ଅଛନ୍ତି। ମାର୍ଥା ନିଜକୁ ଦିବ୍ୟଦର୍ଶି ବୋଲି ଦାବି କରନ୍ତି ଓ କହନ୍ତି ସେ ସ୍ୱର୍ଗର ଦୂତମାନଙ୍କ ସହ କଥା ହୁଅନ୍ତି । 

ଏଥିରେ ମାର୍ଥାଙ୍କୁ ବିବାହ କରିବାକୁ ଯାଉଥିବା ଭେରେଟ ନିଜକୁ ଷଷ୍ଠ ପିଢୀର ଯାଦୁକର ଓ ଭଗବାନଙ୍କ ସେବକ ବୋଲି ଦାବି କରନ୍ତି। ସେ ଭେନିଟି ଫେୟାର ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ମୃତ୍ୟୁ ପରେ ସେ ପୁନର୍ଜୀବନ ପାଇଛନ୍ତି। ୨୦୦୨ରେ ଭେରେଟ ଦାବି କରିଥିଲେ ଯେ ବୃକକ ବିଫଳତା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା ଓ ସେ ପୁଣି ଜୀବିତ ହୋଇଯାଇଛନ୍ତି। ଏହି ଘଟଣା ତାଙ୍କ ଜୀବନରେ ମୋଡ ଆଣିଥିବା ବେଳେ ସେ ଯାଦୁକର ହୋଇଯାଇଥିବା କହିଛନ୍ତି। 

ଭେରେଟ ଶନିବାର ରାଜକୁମାରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି, ତେବେ ସେ କହୁଛନ୍ତି ଯେ କେବଳ ତାଙ୍କ ପ୍ରତିଜ୍ଞାଗୁଡିକୁ   ନବିକୃତ କରୁଛନ୍ତି। ଗତ ଜନ୍ମରେ ସେ କୁଆଡେ ଫାରୋ ଥିଲେ ଓ ମାର୍ଥା ଲୁଇସ୍ ତାଙ୍କ ପତ୍ନୀ ଥିଲେ ବୋଲି ଦାବି କରୁଛନ୍ତି। ଭେରେଟ କହିଛନ୍ତି ସେ ଯେବେ ଶିଶୁ ଥିଲେ ତାଙ୍କର ଜଣେ ସମ୍ପର୍କୀୟ ଭବିଷ୍ୟବାଣୀ କରିଥିଲେ ଯେ ସେ ନରୱେର ରାଜକୁମାରୀଙ୍କୁ ବିବାହ କରିବେ। ତେବେ ଗତ କିଛି ବର୍ଷ ହେଲା ଏହି ଯୋଡିଙ୍କ ଦ୍ୱାରା ଅନେକ ବିବାଦ ହୋଇଛି। 

ସେମାନଙ୍କ ବିବାହ ଉତ୍ସବ ଆୟୋଜନ ଗୁରୁବାର ଆରମ୍ଭ ହୋଇଥିବା ବେଳେ ନବଦମ୍ପତ୍ତି ନରୱେର ଗେଇରଙ୍ଗେର ସହରରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏଥି ପାଇଁ ଅନୁଷ୍ଠିତ ହେଉଥିବା ଉତ୍ସବରେ ସ୍ୱିଡିସ୍ ରାଜ ପରିବାରର ସଦସ୍ୟଙ୍କ ସମେତ ସୋସିଆଲ ମିଡିଆର ପ୍ରଭାବଶାଳୀ ଲୋକେ ଓ ଟେଲିଭିଜନ ବ୍ୟକ୍ତିତ୍ୱ ଉତ୍ସବରେ ଯୋଗ ଦେବେ। ତେବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନିମନ୍ତ୍ରିତ ଅତିଥିଙ୍କୁ ମୋବାଇଲ ଫୋନର ବ୍ୟବହାର ନ କରିବାକୁ ଓ ସୋସିଆଲ ମିଡିଆରେ କିଛି ଅପଲୋଡ ନକରିବାକୁ ନିବେଦନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.