LIVE TV

ଏବେ ତୁମର ନମ୍ୱର ଆସିବ ... କାହାକୁ ଟାର୍ଗେଟ୍ କଲେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ

NEWS7
israeli-defense-minister-israel-katz-

ନୂଆଦିଲ୍ଲୀ – ଗାଜାରେ ଇସ୍ରାଏଲ ହମାସ ଉପରେ ଆତଙ୍କ ବର୍ଷା କରୁଛି। ସ୍ଥାନୀୟ ଲୋକେ ସହର ଛାଡ଼ି ଅନ୍ୟ ସ୍ଥାନକୁ ପଳାଉଛନ୍ତି। ଇସ୍ରାଏଲ ଅନେକ ଗ୍ରୁପ୍‌ ସହ ଏକା ସାଥିରେ ଯୁଦ୍ଧ କରୁଛି ଏବଂ କାହାକୁ ବି ଜବାବ ଦେବାରେ ପଛକୁ ହଟୁ ନାହିଁ। ଏହି ମଧ୍ୟରେ , ୟେମେନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ହୁତି ବିଦ୍ରୋହୀଙ୍କ ବିରୋଧରେ ମଧ୍ୟ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ନେଉଛି। ହୁତି ବିଦ୍ରୋହୀଙ୍କ ଡ୍ରୋନ୍‌ ଓ ମିସାଇଲ ହମଲାର ଜବାବରେ ଏବେ ଇସ୍ରାଏଲ ବଡ଼ ପଦକ୍ଷେପ ଉଠାଇବାର ପ୍ରସ୍ତୁତିରେ।

ଇସ୍ରାଏଲୀୟ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଇଲ କାଟଜ୍‌ ହୁତି ନେତା ଅବଦୁଲ-ମଲ୍ଲିକ୍‌ ଅଲ୍-ହୁତିଙ୍କୁ ଜୀବନରେ ମାରିବାକୁ ଧମକ ଦେଇଛନ୍ତି। କାଟ୍‌ଜ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ତୁମର ନମ୍ୱର ଆସିବ। ଏହା ପୂର୍ବରୁ ୨୮ ଅଗଷ୍ଟରେ ଇସ୍ରାଏଲ ୟେମେନରେ ବିମାନ ହମଲା କରି ହୁତି ସରକାରଙ୍କ ପ୍ରଧାନମନ୍ତ୍ରୀ ଓ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ସଦସ୍ୟଙ୍କୁ ମାରି ଦେଇ ଥିଲା। ଏବେ ଇସ୍ରାଏଲ ପୁଣି ଥରେ ଏମିତି ଆକ୍ରମଣର ଧମକ ଦେଇଛି।

ଉଲ୍ଲେଖନୀୟ ଯେ, ଗୁରୁବାର ଇସ୍ରାଏଲର ଦକ୍ଷିଣୀ ସହର ଐଲାତର ଏକ ହୋଟେଲରେ ହୁତି ବିସ୍ଫୋରକ ଡ୍ରୋନ୍‌ ଆକ୍ରମଣ କରିଥିଲା। ଏହି ସମୟରେ ଏକ ବାଲିଷ୍ଟିକ୍‌ ମିସାଇଲ ଓ ଆଉ ଦୁଇଟି ଡ୍ରୋନ୍‌କୁ ମଧ୍ୟ ରୋକା ଯାଇଥିଲା। ଏହି ଆକ୍ରମଣ ପରେ କାଟଜ୍‌ ଏକ୍ସରେ ଲେଖିଥିଲେ , ଅବଦୁଲ୍‌-ମଲିକ୍‌ ଅଲ-ହୁତି ...ତୁମର ସମୟ ଆସିଗଲା। ତୁମେ ନିଜର ସରକାରର ଅନ୍ୟ ଲୋକଙ୍କ ପାଖକୁ ପଠାଯିବ। ହୁତି ପତାକାରେ ଲେଖା ନାରା ‘ଇସ୍ରାଏଲର ମୃତ୍ୟୁ , ୟେହୁଦୀଙ୍କ ଉପରେ ଅଭିଶାପ’ର ସ୍ଥାନରେ ଇସ୍ରାଏଲୀୟ ନୀଳ –ଧଳା ପତାକା ୟେମେନର ଏକୀକୃତ ରାଜଧାନୀ ଉପରେ ଉଡ଼ିବ।

ଅବଦୁଲ୍‌-ମଲିକ ହୁତି ଆନ୍ଦୋଳନର ସଂସ୍ଥାପକ ହୁସୈନ ଅଲ୍‌-ହୁତିର ଭାଇ। ୨୦୦୪ରେ ହୁସୈନର ମୃତ୍ୟୁ ପରେ ଅବଦୁଲ୍‌-ମଲିକ୍ ସଙ୍ଗଠନର କମାଣ୍ଡ ସମ୍ଭାଳି ଥିଲେ। ୨୦୧୫ରେ ହୁତିମାନେ ୟେମେନର ସରକାରକୁ କ୍ଷମତାଚ୍ୟୁଦ କରିଥିଲେ ଏବଂ ରାଜଧାନୀ ସାନା ସମେତ ବିଶାଳ ଅଞ୍ଚଳ ଦଖଲ କରିଥିଲେ। ଏହି ସଂଘର୍ଷରେ ମଲିକ୍‌ ଜଣେ ଦୃଢ ନେତା ଓ କମାଣ୍ଡର ଭାବେ ପରିଚୟ ସୃଷ୍ଟି କରିଥିଲେ।

ଅବଦୁଲ –ମଲିକଙ୍କ ବିଷୟରେ ଯଦି କୁହାଯାଏ ତ ସେ ଦୀର୍ଘ ଦିନ ଯାଏ ଗୋଟିଏ ସ୍ଥାନରେ ନରହି ବାରମ୍ୱାର ନିଜର ଲୋକେସନ ବଦଳାଇ ଚାଲିଛନ୍ତି। ସେ ସାର୍ବଜନିକ କାର୍ଯ୍ୟକ୍ରମରେ ଭାଗ ନିଅନ୍ତି ନାହିଁ। ଏହା ମଧ୍ୟ କୁହାଯାଏ ଯେ, ତାଙ୍କର ନିଜ ଲୋକଙ୍କୁ ମଧ୍ୟ ଏହାର ସଠିକ୍‌ ସୂଚନା ନଥାଏ ଯେ, ସେ କେଉଁଠି ଅଛନ୍ତି ଏବଂ କଣ କରୁଛନ୍ତି। ହେଲେ , ସେ ସମୟ ସମୟରେ ଭିଡିଓ ବାର୍ତ୍ତା ଜାରି କରୁଛନ୍ତି।

କୁହାଯାଉଛି ଯେ, ଅବଦୁଲ୍‌-ମଲିକଙ୍କ ନେତୃତ୍ୱରେ ହୁତିଙ୍କ ଶକ୍ତି ଲଗାତାର ବଢିଛି। ବିଶେଷକରି ଲୋହିତ ସାଗରରେ ସେ ଇସ୍ରାଏଲ , ଆମେରିକା ଓ ତାଙ୍କର ସହଯୋଗୀଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି।