ରାଫାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇଲା ଇସ୍ରାଏଲ୍: ଇଜିପ୍ଟର ଚେତାବନୀ- ପରିଣାମ ବିନାଶକାରୀ ହେବ

Published By : Prameya-News7 Bureau | April 25, 2024 IST

internet

ନୂଆଦିଲ୍ଲୀ: ଗାଜା ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରର ଶତ୍ରୁ ତାଲିକାରେ ଇସ୍ରାଏଲ୍। ଗୋଟିଏ ପରେ ଗୋଟିଏ ପଡ଼ୋଶୀ ଦେଶ ଦେଉଛନ୍ତି ଧମକ୍। ନିକଟରେ ଇରାନ ଇସ୍ରାଏଲ୍ ଉପରେ ଆଟାକ୍ କରି ସାରିଛି। ଆଉ ଏବେ ଇଜିପ୍ଟ ଧମକ ଦେଲାଣି। 

ବୁଧବାର ଦକ୍ଷିଣ ଗାଜାର ରାଫା ସହରରେ ହମାସ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରିଛି ଇସ୍ରାଏଲ୍‌। ଇସ୍ରାଏଲ୍ ସେନା ଦକ୍ଷିଣ ଗାଜା ମୁହାଁ ହେବା ପରେ ଇଜିପ୍ଟ ଆଗୁଆ ଚେତାବନୀ ଜାରି କରିଛି। 
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପ୍ରବକ୍ତା ଅପରେସନ୍‌ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଗ୍ରାଉଣ୍ଡ ଅପରେସନ ପାଇଁ ସେନା ଅଫିସରମାନେ ରାଫା ଆଡ଼କୁ ମୁହାଁଇଛନ୍ତି। ତେବେ ସେନା ପକ୍ଷରୁ ଅପରେସନ ସରିବା ନେଇ କୌଣସି ସମୟ ଦିଆଯାଇ ନାହିଁ। ତେବେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସେଠାରେ ରହୁଥିବା ପାଲେଷ୍ଟାଇନ୍‌ ଲୋକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ୍ ସରକାର ପଦକ୍ଷେପ ନେଇଛନ୍ତି।

ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ୪୦ ହଜାର ଟେଣ୍ଟ କିଣାଯାଇଛି। ପ୍ରତି ଟେଣ୍ଟରେ ୧୦-୧୨ ଲୋକ ରହିପାରିବେ। ରାଫାରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପାଲେଷ୍ଟାଇନ୍‌ ଲୋକଙ୍କୁ ଏହି ଟେଣ୍ଟରେ ରଖାଯିବ ବୋଲି ପ୍ରବକ୍ତା ସୂଚନା ଦେଇଛନ୍ତି। 

ପଢ଼ନ୍ତୁ-ପାକିସ୍ତାନରେ ନଜର ଆସିଲେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ, Pokରେ ସ୍ପଟ୍ ହେଲେ ସୟଦ ସଲାଉଦ୍ଦିନ
ରାଫାରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନେଇ ନେତାନ୍ୟାହୁ ସବୁବେଳେ କହି ଆସିଛନ୍ତି। ସର୍ବାଧିକ ଜନବହୁଳ ଏହି ସହରରେ ଏପର୍ଯ୍ୟନ୍ତ ଇସ୍ରାଏଲ୍ ସ୍ଥଳସେନା ପ୍ରବେଶ କରି ନାହିଁ। ଇସ୍ରାଏଲ୍ ଏବେ ରାଫା ଆକ୍ରମଣ କରିବାକୁ ଯୋଜନା କରୁଥିବା ବେଳେ ଇିଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ଇସ୍ରାଏଲ୍‌କୁ ଚେତାବନୀ ଦେଇଛନ୍ତି। ରାଫାରେ କୌଣସି ସୈନ୍ୟ କାର୍ଯ୍ୟନୁଷ୍ଠାନ ହେଲେ ଏହାର ପରିଣାମ ବିନାଶକାରୀ ହେବ ବୋଲି ସେ କହିଛନ୍ତି। 

ସୂଚନା ଥାଉକି ରାଫା ଇଜିପ୍ଟ ବର୍ଡର ସହ ଲାଗିଛି। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍-ହମାସ ଯୁଦ୍ଧ ଆରମ୍ଭ ହେବା ପରେ ୧୦ ଲକ୍ଷରୁ ଅଧିକ ଲୋକ ରାଫାକୁ ପଳାଇ ଆସି ଇଜିପ୍ଟର ଶରଣ ପଶିଥିଲେ। ଆଉ ଇଜିପ୍ଟ ଏମାନଙ୍କୁ ଏହିଠାକେ ହିଁ ଶରଣ ଦେଇଛି। ଏବେ ରାଫାରେ ଆକ୍ରମଣରେ ମାନବ ଶାନ୍ତି ଓ ସୁରକ୍ଷା କ୍ଷେତ୍ରରେ ମହା ବିନାଶ ଡାକି ଆଣିବ ବୋଲି ଇଜିପ୍ଟ ରାଷ୍ଟ୍ରପତି ଇସ୍ରାଏଲ୍‌କୁ ଚେତାବନୀ ଦେଇଛନ୍ତି। 

ଅନ୍ୟପଟେ ଇସ୍ରାଏଲ୍‌ର ଘନିଷ୍ଠ କୁହାଯାଉଥିବା ଆମେରିକା ରାଫାରେ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ ଆହ୍ୱାନ ଦେଇଛି। ଅନ୍ୟ ଉପାୟରେ ମଧ୍ୟ ହମାସ ଆତଙ୍କବାଦୀଙ୍କୁ ସଫା କରି ହେବ ବୋଲି ଆମେରିକା କହିଛି। ଆମେରିକା, ଇଜିପ୍ଟ ଓ କତାର ଉଦ୍ୟମ ଯୋଗୁ ରାଫାରେ ଇସ୍ରାଏଲ୍‌ର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ହୋଇପାରି ନାହିଁ। 

ସେପଟେ ଦକ୍ଷିଣ ଗାଜାର ଏକାଧିକ ସ୍ଥାନରୁ ଇସ୍ରାଏଲ୍‌ ସନ୍ୟ ପ୍ରତ୍ୟାହାର କରି ନେଇଛି। କିନ୍ତୁ ସେହିସବୁ ସ୍ଥାନମାନଙ୍କରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଅନ୍ୟପଟେ ଏହି ଯୁଦ୍ଧରେ ଗାଜାର ୩୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୭୦ ପ୍ରତିଶତ ଛୋଟପିଲା ଓ ମହିଳା ରହିଛନ୍ତି ବୋଲି ଗାଜା ପକ୍ଷରୁ ସୂଚନା ଦିଆଯାଇଛି।
  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.