ନୂଆଦିଲ୍ଲୀ : ଆମର ସୌରମଣ୍ଡଳରେ ଏକ ନିଆରା ଜିନିଷ ଆସିଛି , ଯାହାକୁ ବୈଜ୍ଞାନିକମାନେ ନିକଟରେ ଦେଖିଛନ୍ତି। ଏହାର ନାଁ ରଖାଯାଇଛି – ୩ ଆଇ /ଆଟଲସ୍ । ଏହା କୌଣସି ସାଧାରଣ ଧୂମକେତୁ ନୁହେଁ , ବରଂ ଏହା ଆମର ସୌରମଣ୍ଡଳ ବାହାରୁ ଆସିଛି। ଏବେସୁଦ୍ଧା ଏମିତି କେବଳ ତିନୋଟି ହିଁ ଜିନିଷ ଆମର ସୌରମଣ୍ଡଳରେ ଦେଖିବାକୁ ମିଳିଛି।
ବୈଜ୍ଞାନିକମାନେ ଏହାକୁ ଜୁଲାଇର ଆରମ୍ଭରେ ଚିଲି ଦେଶରେ ଏକ ଟେଲିସ୍କୋପ୍ ମାଧ୍ୟମରେ ଦେଖିଥିଲେ। ଏହି ଧୂମକେତୁ ଖୁବ୍ ଦ୍ରୁତ ଗତିରେ ସୂର୍ଯ୍ୟଙ୍କ ଆଡ଼କୁ ଗତି କରୁଛି। ଏହା ଅକ୍ଟୋବର ୩୦ ତାରିଖରେ ପୃଥିବୀର ପାଖ ଦେଇ ଗତି କରିବ। ଏହା ପୃଥିବୀରୁ ପାଖାପାଖି ୧୩ କୋଟି ମାଇଲ ଦୂରତାରେ ରହିବ,ହେଲେ ତଥାପି ଏହାର ଆଗମନରେ ବୈଜ୍ଞାନିକ ଖୁବ୍ ଆଶ୍ଚର୍ଯ୍ୟ ହୋଇଛନ୍ତି।
ପ୍ରାରମ୍ଭରେ ବୈଜ୍ଞାନିକମାନେ ଭାବିଥିଲେ ଯେ , ଏହା କୌଣସି ଏକ ପଥର , କିନ୍ତୁ ପରେ ଜଣାପଡ଼ିଲା ଯେ,ଏହା ବରଫ ଓ ଧୂଳିରେ ତିଆରି ଏକ ଧୂମକେତୁ । ବର୍ତ୍ତମାନ ଏହି ଧୂମକେତୁ ବିଷୟରେ ଏକ ବଡ ଦାବି କରାଯାଇଛି। ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଆଭି ଲୋଏବ କହିଛନ୍ତି ଯେ, ଏହି ଧୂମକେତୁ ଏକ ଏଲିୟନ ସଭ୍ୟତାର ପ୍ରଯୁକ୍ତିବିଦ୍ୟା ହୋଇପାରେ। ସେ ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଏହାର ଗତି ଓ ଦିଗ ଏକ ସାଧାରଣ ଧୂମକେତୁ ପରି ନୁହେଁ , ଏଣୁ ଏହା କୌଣସି ଏକ ବୁଦ୍ଧିମାନ ସଭ୍ୟତା ଦ୍ୱାରା ନିର୍ମିତ ଏକ ଜିନିଷ ହୋଇପାରେ।
ହେଲେ , ଅନେକ ବୈଜ୍ଞାନିକ ଏଥିରେ ସହମତ ନୁହଁନ୍ତି ଏବଂ ସେମାନେ କୁହନ୍ତି ଯେ ,ଏହା କେବଳ ଏକ ପ୍ରାକୃତିକ ଧୂମକେତୁ । ଏଭି ଲୋଏବ ମଧ୍ୟ କହିଛନ୍ତି ଯେ , ତାଙ୍କର ଉଦ୍ଦେଶ୍ୟ ଲୋକଙ୍କୁ ଭାବିବାକୁ ବାଧ୍ୟ କରିବା,ଯାହା ଦ୍ୱାରା ଆମେ ବ୍ରହ୍ମାଣ୍ଡର ରହସ୍ୟଗୁଡ଼ିକୁ ଭଲ ଭାବେ ବୁଝିପାରିବା।
ଆଗାମୀ ସମୟରେ ଏହି ରହସ୍ୟମୟୀ ଧୂମକେତୁ ଉପରେ ଆହୁରି ଗଭୀର ଅଧ୍ୟୟନ କରାଯିବ। ସେପର୍ଯ୍ୟନ୍ତ ବୈଜ୍ଞାନି ଏହାର ପ୍ରତି ହରକତ ଉପରେ ନଜର ପକାଇଛନ୍ତି।