ଇସ୍ରାଏଲକୁ ବଡ଼ ଝଟକା, ସ୍ପେନ୍ ସମେତ ତିନି ଦେଶ ଫିଲିସ୍ତୀନକୁ ଦେବେ ମାନ୍ୟତା; କୂଟନୀତିକ ସମ୍ପର୍କରେ ଫାଟ

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ: ଗାଜାରେ ହମାସର ବିଭିନ୍ନ ଆଡ୍ଡା ଉପରେ ଆକ୍ରମଣ କରୁଥିବା ଇସ୍ରାଏଲକୁ ବଡ଼ ଝଟକା ଲାଗିଛି । ନରୱେ, ଆୟରଲାଣ୍ଡ ଏବଂ ସ୍ପେନ୍ ଫିଲିସ୍ତୀନକୁ ମାନ୍ୟତା ଦେବା ପାଇଁ ଘୋଷଣା କରିଛନ୍ତି । ନରୱେ ପ୍ରଧାନମନ୍ତ୍ରୀ ଜୋନାସ ଗାର ଷ୍ଟୋର କହିଛନ୍ତି ଯେ ଇସ୍ରାଏଲର ହିତ ମଧ୍ୟ ଟୁ-ଷ୍ଟେଟ୍ ସଲ୍ୟୁସନରେ ରହିଛି । ଏହାର ଅର୍ଥ ଏହା ଯେ ଇସ୍ରାଏଲକୁ ବି ଗୋଟିଏ ଦେଶର ମାନ୍ୟତା ମିଳୁ ଏବଂ ସେହିପରି ଗାଜା ପଟ୍ଟି ଏବଂ ୱେଷ୍ଟ ବ୍ୟାଙ୍କରେ ବିଭାଜିତ ଫିଲିସ୍ତୀନକୁ ମଧ୍ୟ ଦେଶର ମାନ୍ୟତା ମିଳୁ । ଏଥିରେ ବିବାଦ ଶେଷ ହୋଇଯିବ ଏବଂ ପଶ୍ଚିମ ଏସିଆରେ ଶାନ୍ତି ସ୍ଥାପନ ହେବ । ନରୱେ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ସ୍ପେନ ଏବଂ ଆୟରଲାଣ୍ଡ ମଧ୍ୟ ଏହିପରି ସଂକେତ ଦେଇଛନ୍ତି ।

ନରୱେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ମେ ୨୮ରେ ଫିଲିସ୍ତୀନକୁ ମାନ୍ୟତା ଦେବୁ । ସେ କହିଛନ୍ତି ଯଦି ଆମେ ଫିଲିସ୍ତୀନକୁ ମାନ୍ୟତା ନଦେଉ ତେବେ ମଧ୍ୟପୂର୍ବରେ ଶାନ୍ତି ସ୍ଥାପନ ହେବ ନାହିଁ । ଏହାପରେ ଆୟରଲାଣ୍ଡର ପ୍ରଧାନମନ୍ତ୍ରୀ ସିମନ ହାରିସ୍ କହିଛନ୍ତି ଯେ ତାଙ୍କ ଦେଶ ମଧ୍ୟ ଫିଲିସ୍ତୀନକୁ ମାନ୍ୟତା ଦେବ । ହାରିସ୍ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ଆଜି ଆୟରଲ୍ୟାଣ୍ଡ, ନରୱେ ଏବଂ ସ୍ପେନ ଫିଲିସ୍ତୀନକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଫିଲିସ୍ତୀନକୁ ମାନ୍ୟତା ଦେବା ପାଇଁ କଣ କଣ ପଦକ୍ଷେପ ଆବଶ୍ୟତ ପଡ଼ିବ ଆମେ ତାହା ଦେଖିବୁ ।'

ସେ କହିଛନ୍ତି ଯେ ଆମେ ଆଶାବାଦୀ ଯେ ଅନ୍ୟ ଦେଶ ମଧ୍ୟ ଆମ ସହ ଆସିବେ ଏବଂ ଇସ୍ରାଏଲକୁ ମାନ୍ୟତା ଦେବେ । ଆଗାମୀ କିଛି ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସେଂଶେଜ ବୁଧବାର ଆମ କ୍ୟାବିନେଟ୍ ମିଟିଂ ମେ ୨୮ରେ ହେବ । ଏହି ଦିନ ଫିଲିସ୍ତୀନକୁ ଦେଶ ରୂପେ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ପାରିତ କରିବୁ । ସେପଟେ ଇସ୍ରାଏଲର ବିଦେଶ ମନ୍ତ୍ରୀ କାଟ୍‌ଜ ଏହି ଦେଶଙ୍କ ପଦକ୍ଷେପ ଉପରେ କଡା ଆପତ୍ତି ଉଠାଇଛନ୍ତି । ଯେଉଁଥି ପାଇଁ କୂଟନୀତିକ ସମ୍ପର୍କ ଖରାପ ହୋଇଛି ।  

ଇସ୍ରାଏଲ ଦ୍ୱାରା ଆୟରଲାଣ୍ଡ, ନରୱେରୁ ନିଜ ରାଷ୍ଟ୍ରଦୂତଙ୍କୁ ତତ୍କାଳ ଫେରିବା ପାଇଁ ଆଦେଶ ଦିଆଯାଇଛି । ଇସ୍ରାଏଲ୍ ଏହି ତିନ ଦେଶର ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ କହିଛି ଯେ ଏହାଦ୍ୱାରା ଅଧିକ ଅସ୍ଥିରତା ସୃଷ୍ଟି ହେବ । ଇସ୍ରାଏଲୀ ମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ହମାସ ପଞ୍ଝାରେ ଫସିବା ପରି ଅଟେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.