ଗିରଫ ନୁହେଁ ନେତାନ୍ୟାହୁଙ୍କୁ ଦିଆଯାଉ ମୃତ୍ୟୁଦଣ୍ଡ: ଇରାନ୍ ସୁପ୍ରିମ ଲିଡରଙ୍କ ବଡ଼ ଦାବି

Published By : Prameya-News7 Bureau | November 25, 2024 IST

News7

ନୂଆଦିଲ୍ଲୀ: ଗିରଫ ନୁହେଁ ନେତାନ୍ୟାହୁଙ୍କୁ ଦିଆଯାଉ ମୃତ୍ୟୁଦଣ୍ଡ। ଇରାନ୍ ସୁପ୍ରିମ ଲିଡରଙ୍କ ବଡ଼ ଦାବି। ସୋମବାର ଇସ୍ରାଏଲ ପିଏମଙ୍କ ଉପରେ ଜୋରଦାର ହମଲା କରିଛନ୍ତି ଇରାନ ସୁପ୍ରିମ ଲିଡର ଅୟତୋଲା ଅଲ୍ଲୀ ଖାମିନେଇ। ତେହେରାନରେ ଆୟୋଜିତ 'ବାସିଜ ଓ୍ୱିକ୍' ଅବସରରେ ସେ ଦେଶର ବାସିଜ ଫୋର୍ସର ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। 

ଏହି ଅବସରରେ ସେ କହିଛନ୍ତି ଯେ ଗାଜା ଏବଂ ଲେବାନନରେ ଇହୁଦୀ ପ୍ରଶାସନ ଯାହା କରିଛି ତାହା ସେମାନଙ୍କ ପାଇଁ ବିଜୟ ନୁହେଁ ବରଂ ଯୁଦ୍ଧ ଅପରାଧ। ଇସ୍ରାଏଲ ପ୍ରଧାନମନ୍ତ୍ରୀ   ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଆନ୍ତର୍ଜାତୀୟ ଅପରାଧିକ କୋର୍ଟ ଦ୍ୱାରା ଜାରି କରାଯାଇଥିବା ଗିରଫ ୱାରେଣ୍ଟ ଯଥେଷ୍ଟ ନୁହେଁ କହିଛନ୍ତି ଖାମିନେଇ।  

ଗାଜା ଏବଂ ଲେବାନନରେ ହୋଇଥିବା ଯୁଦ୍ଧ ଅପରାଧ ପାଇଁ ନେତାନ୍ୟାହୁଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ଖାମେନେଇ କହିଛନ୍ତି ଯେ ବାସିଜଙ୍କ ସାହସ, ପରାକ୍ରମ ସମସ୍ତଙ୍କୁ ଜଣା। ଆମେ ନିଷ୍ଠା ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ଅଣଦେଖା କରିବା ଉଚିତ୍ ନୁହେଁ, କିନ୍ତୁ ଶତ୍ରୁଙ୍କୁ ଦମନ କରିବାର ପନ୍ଥା ମଜଭୁତ କରିବା ଦରକାର। ଭବିଷ୍ୟତରେ ପ୍ରତିରୋଧ ଶକ୍ତି ଆହୁରି ବିସ୍ତାର କରାଯିବ ବୋଲି ସେ କହିଛନ୍ତି।

ତେବେ ମାନବିକତା ବିରୋଧରେ ଯୁଦ୍ଧ ଅପରାଧ ଯୋଗୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭା ଗାଲାଣ୍ଟଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଅନ୍ତର୍ଜାତୀୟ ଅପରାଧ କୋର୍ଟ(ଆଇସିସି) ଏହି ଗିରଫ ପରୱାନା ଜାରି କରିଛନ୍ତି। ନେତାନ୍ୟାହୁ ଏବଂ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ, ହତ୍ୟା, ନିର୍ଯାତନା ଏବଂ ଅମାନବୀୟ କାର୍ଯ୍ୟ ତଥା ଅନାହାର ଭଳି ଯୁଦ୍ଧ ଅପରାଧ କରିଥିବା କହିଛନ୍ତି ଆଇସିସି। 

ଏମାନେ ଗାଜାରେ ସାଧାରଣ ନାଗରିକଙ୍କୁ ଖାଦ୍ୟ, ଜଳ ଏବଂ ଚିକିତ୍ସା ସହାୟତା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଫଳରେ ଛୋଟ ଛୁଆମାନଙ୍କର ବି ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ଆଇସିସି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଦି ବ୍ରିଟେନ୍ ଆସନ୍ତି ତେବେ ଅନ୍ତର୍ଜାତୀୟ ଆଇନ ଅନୁସାରେ ତାଙ୍କୁ ଗିରଫ କରାଯିବ ବୋଲି ସଂକେତ ଦେଇଥିଲେ ବ୍ରିଟେନ ସରକାର। 

ସେପଟେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ଏକ ବର୍ଷ ଧରି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଏପ୍ରିଲରୁ ଉଭୟ ଦେଶ ପରସ୍ପର ଉପରେ ମିଶାଇଲ ମାଡ଼ ମଧ୍ୟ କରି ଆସୁଛନ୍ତି। ଏଭଳି ସ୍ଥିତିରେ ଖାମିନେଇଙ୍କ ବୟାନ ଉପରେ ବିଶ୍ୱ ନେତା ସମୂହଙ୍କ ଆଭିମୁଖ୍ୟ କଣ ରହିବ ତାହା ଦେଖିବାକୁ ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.