ତେହେରାନ, ୨୨ /୦୩:ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନ ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଆକାଶଛୁଆଁ ମୁଦ୍ରାସ୍ପୀତିକୁ ଦୃଷ୍ଟିରେ ରଖି ଇରାନ ସରକାର ୧୦ ମିଲିଅନ୍(୧ କୋଟି) ରିଆଲର ନୂଆ ନୋଟ୍ ଜାରି କରିଛନ୍ତି । ଏହା ଦେଶର ଇତିହାସରେ ସବୁଠୁ ବଡ଼ ନୋଟ୍ ।

ବର୍ଦ୍ଧିଷ୍ଣୁ ଦରଦାମ୍ ବୃଦ୍ଧି ଏବଂ ନଗଦ ସଙ୍କଟଜନିତ ସମସ୍ୟାର ମୁକାବିଲା ଲାଗି ଏହି ପଦକ୍ଷେପ ଉଠାଯାଇଥିବା ସରକାର କହିଛନ୍ତି । ୧ କୋଟି ରିଆଲର ଏହି ନୋଟ୍ର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ମାତ୍ର ୭ ଡଲାର(ଭାରତୀୟ ମୁଦ୍ରାରେ ପ୍ରାୟ ୬୫୦ ଟଙ୍କା) । ଚଳିତ ସପ୍ତାହରେ ଏହି ନୋଟ୍ ବଜାରକୁ ଆସିବା ପରେ ବ୍ୟାଙ୍କ୍ ବାହାରେ ଲମ୍ବା ଲାଇନ ଲାଗିଛି । ଏଟିଏମରୁ ନଗଦ ଶେଷ ହୋଇଯିବ ବୋଲି ଲୋକେ ଭୟ କରୁଛନ୍ତି । ଅନେକ ସ୍ଥାନରେ ଏଭଳି ସ୍ଥିତି ମଧ୍ୟ ଦେଖାଦେଇଛି ।

ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ,ଲୋକେ ଯେପରି ନଗଦ ସଙ୍କଟର ସାମ୍ନା ନ କରିବେ ସେଥିଲାଗି ଏହି ନୂଆ ନୋଟ୍ ଅଣାଯାଇଛି । ଗୋଲାପୀ ରଙ୍ଗର ଏହି ନୂଆ ନୋଟରେ ଏକ ଐତିହାସିକ ମସଜିଦ୍ର ଫଟୋ ରହିଛି । ପଛପଟେ ୨୫୦୦ ବର୍ଷ ପୁରୁଣା ଦୁର୍ଗର ଝଲକ ଦେଖିବାକୁ ମିଳୁଛି । ଏହା ପୂର୍ବରୁ ଦେଶ ୫ ନିୟୁତ ରିଆଲର ନୋଟ୍ ଜାରି କରିଥିଲା ।

Also Read :-ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, କହିଲେ-୪୮ ଘଣ୍ଟା ଭିତରେ ହର୍ମୁଜ ପ୍ରଣାଳୀ କର ସ୍ବାଭାବିକ ନଚେତ୍‌...

ସୂଚନାଥାଉକିଇରାନର ମୁଦ୍ରା ରିଆଲର ଦାମ୍ ଲଗାତର ଖସୁଛି । ଆମେରିକୀୟ କଟକଣା ଏବଂ ଇସ୍ରାଏଲ ସହ ଚାଲୁଥିବା ଉତ୍ତେଜନା କାରଣରୁ ଦେଶର ବ୍ୟାଙ୍କ୍ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି । ସେଥିଯୋଗୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏକପ୍ରକାର ପଙ୍ଗୁ ହୋଇଯାଇଛି । ସରକାରଙ୍କ ଭରସା ସତ୍ତେ୍ୱ ବ୍ୟାଙ୍କ୍ରେ ନଗଦ ଅଭାବ ଦେଖାଦେଇଛି । ପରିସ୍ଥିତି ଏଭଳି ହୋଇଛି ଯେ ଗ୍ରାହକଙ୍କୁ ବ୍ୟାଙ୍କ୍ ଚାହିଦା ମୁତାବକ ନଗଦ ଦେଇପାରୁନାହାନ୍ତି । ଥରକରେ ବ୍ୟାଙ୍କ୍ ଲୋକଙ୍କୁ ଖୁବ୍ କମ୍ ଅର୍ଥ ଦେଉଛନ୍ତି ।